
ଭୁବନେଶ୍ବର: ବିନା ଭିସା ଓ ପାସ୍ପୋର୍ଟରେ ଭାରତକୁ ଅନୁପ୍ରବେଶ କରିଥିବା ୧୦ ବାଂଲାଦେଶୀ କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ପଞ୍ଝାରେ ପଡ଼ିଛନ୍ତି। ଏହି ଅନୁପ୍ରବେଶକାରୀଙ୍କ ମଧ୍ୟରେ ଏଜେଣ୍ଟ ସହ ୬ ପୁରୁଷ ଓ ୩ ମହିଳା ଅଛନ୍ତି। ବେଙ୍ଗାଲୁରୁ ଯାଉଥିବା ବେଳେ ଭୁବନେଶ୍ବର ରେଳଷ୍ଟେସନ୍ରେ ସେମାନଙ୍କୁ ଏକ ଏକ୍ସପ୍ରେସ୍ରୁ ଗିରଫ କରାଯାଇଛି। ସେମାନେ ହେଲେ ବେଙ୍ଗାଲୁରୁରେ ରହୁଥିବା ଏଜେଣ୍ଟ ମହମ୍ମଦ ହସିମ୍, ବାଂଲାଦେଶ ଭାଲୁକା ଜିଲ୍ଲାର, ସୋଜିବ୍ ଖାଁ, ସରନ୍କୋଲା ରେଣ୍ଡିଆ ଗାଁର ଜଣେ ନାବାଳକ, ମୋରେଲ୍ଗଞ୍ଜ ଥାନାର ଅଲାମ୍ ସେଖ୍, ମହମ୍ମଦ ଅଜିମ୍, ଦିଲ୍ଲାର୍ ସେଖ୍, ସୋହାତୁଲୁକ ଦାର୍, କରମା ବେଗମ୍, ଚାନ୍ଦିପୁର ଥାନା ଅଞ୍ଚଳର ମୋନିରା ବେଗମ୍ ଓ ଦାମରାଇ ଥାନା ଅଞ୍ଚଳର ସାହାନା ବେଗମ୍। ଆସାମ ସୀମାରେ ଗଳାବାଟ ଦେଇ ଏମାନେ ଭାରତକୁ ଅନୁପ୍ରବେଶ କରିଥିବା ଜଣାପଡ଼ିଛି। ଏମାନଙ୍କ ପାଖରୁ ଉଭୟ ଭାରତୀୟ ଟଙ୍କା ସହିତ ବାଂଲାଦେଶ କରେନ୍ସି ଜବତ କରାଯାଇଛି।
ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଛି ଏବଂ ଅନ୍ୟ ସମସ୍ତଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି। ଏହି ଅନୁପ୍ରବେଶ ପଛର ରହସ୍ୟ ଉନ୍ମୋଚନ କରିବାକୁ ଏସ୍ଟିଏଫ୍ ଏଜେଣ୍ଟ ହସିମ୍କୁ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ଏସ୍ପି ରବୀନ୍ଦ୍ରନାଥ ଶତପଥୀଙ୍କ ସୂଚନାନୁସାରେ ଗୁଇନ୍ଦା ତଥ୍ୟକୁ ଆଧାର କରି ଭୁବନେଶ୍ବର ଷ୍ଟେସନ୍ରେ ଅଟକିଥିବା ଡେବ୍ରିଗଡ଼-ଚେନ୍ନାଇ ଏକ୍ସପ୍ରେସ୍ରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ଏହି ସମସ୍ତ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରାଯାଇଥିଲା ଏବଂ ପଚରାଉଚରା ବେଳେ ସେମାନେ ସବୁ ସତ ମାନିଯାଇଥିଲେ। ବେଙ୍ଗାଲୁରୁରେ ରହୁଥିବା ଏଜେଣ୍ଟ ମହମ୍ମଦ ହସିମ୍ ସେମାନଙ୍କୁ ଭାରତ ଆଣିଛି ବୋଲି ମାନିଯାଇଥିଲେ। ହସିମ୍ ସେମାନଙ୍କ ପାଇଁ ନକଲି ଆଧାରକାର୍ଡ ପ୍ରସ୍ତୁତ କରିଛି ବୋଲି ସେମାନେ କହିଥିଲେ। ପୁଲିସ ସେମାନଙ୍କଠାରୁ ନକଲି ଆଧାରକାର୍ଡ ସବୁ ଜବତ କରିଛି।