
ଭୁବନେଶ୍ବର : ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି । ରାଜ୍ୟରେ ବିଜେପି ସରକାର ଆସିବା ପରେ ରାଜ୍ୟର ବିକାଶ କାର୍ୟ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଗାଁରେ କିଛି କାମ ହେଉନାହିଁ। ସରକାର କାମ ପାଇଁ ଟଙ୍କା ଦେଉନାହାଁନ୍ତି, ଯାହା ଟଙ୍କା ଅଛି କିଛି ଖର୍ଚ୍ଚ ବି ହେଉନାହିଁ। ଏ ସରକାର କେବଳ ବାହାସ୍ପୋଟ ମାରୁଛନ୍ତି। ଏପରି କହି ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ୟ୍ୟ।ପ୍ରସନ୍ନ ଆଚାର୍ୟ୍ୟ ଆହୁରି ମଧ୍ୟ କହିଛନ୍ତି ରାଜ୍ୟରେ ସ୍ଥାଣୁ ସରକାର ଚାଲିଛି। ସାମ୍ବିଧାନିକ ପଦବୀ ଖାଲି ପଡ଼ିଛି। ରାଜ୍ୟରେ ମହିଳା ନିର୍ୟାତନା ଶୀର୍ଷରେ ଥିବା ବେଳେ ମହିଳା କମିଶନ ପଦବୀ ଖାଲି। ନ୍ୟାୟ ପାଇଁ ମହିଳାମାନେ କୁଆଡେ ଯିବେ। ଯଦି ସରକାର ମହିଳା କମିଶନ ନିଯୁକ୍ତି ଦେବେ ନାହିଁ, ତେବେ ରାଜନୈତିକ ଉଦ୍ଦେଶ୍ୟ ରଖି କାହିଁକି ମହିଳା କମିଶନକୁ ବିଦା କଲେ। ରାଜ୍ୟରେ ମହିଳା କମିଶନ କାର୍ୟ୍ୟ କରୁନଥିବା ବେଳେ ରାଜ୍ୟରେ ମହିଳାମାନଙ୍କର କି ଦୟନୀୟ ପରିସ୍ଥିତି ତାହା ଲୋକେ ବୁଝିଲେଣି। ଶିଶୁ କମିଶନ ବି ଖାଲି। ରାଜ୍ୟରେ ଶିଶୁ ନିର୍ୟାତନା ଓ ନିଖୋଜ ବି ବଢ଼ିଛି।ବିଜେପି ସରକାର ଯୋଜନା ବୋର୍ଡ ଗଠନ କରିନାହିଁ। ଜିଲ୍ଲା ଯୋଜନା ବୋର୍ଡ ବି ନାହିଁ। ଜିଲ୍ଲା ଯୋଜନା ବୋର୍ଡ ଜରିଆରେ ବ୍ଲଲକୁ ବିଭିନ୍ନ ବାବଦରେ ଟଙ୍କା ଯାଏ। ତାହା ବି ଯାଉନାହିଁ। ବିକାଶ ସମ୍ପୁର୍ଣ୍ଣ ଠପ୍ ହୋଇଛି। ବିକାଶ ନେଇ ସରକାର ବାହସ୍ପୋଟ ମାରୁଛନ୍ତି । ନୂଆ ସରକାର ସମୟରେ ଗ୍ରାମାଞ୍ଚଳର ବିକାଶ ପାଇଁ ଆଖି ଦୃଶିଆଟଙ୍କା ଯାଇନାହିଁ। ଟଙ୍କା ଯାଉନାହିଁ, କି ଟଙ୍କା ଖର୍ଚ୍ଚ ହେଉନାହିଁ। ରାଜ୍ୟରେ ଶାସନ ବ୍ୟବସ୍ଥା ଢିଲା ହୋଇଯାଇଛି। କେବଳ ସୁଭଦ୍ରା ଟଙ୍କା ଦେଲେ ଓଡ଼ିଶାର ବିକାଶ ହେବ ନାହିଁ । ମହିଳାଙ୍କୁ ସୁରକ୍ଷା ଦିଅନ୍ତୁ ବୋଲି ପ୍ରସନ୍ନ ଆଚାର୍ୟ୍ୟ କହିଛନ୍ତି।