
ଭୁବନେଶ୍ୱର: ବାଲେଶ୍ୱର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଓ ମୃତ୍ୟୁ ଘଟଣାର ପ୍ରତିବାଦରେ ବିଜେଡି ଆଜି ସଚିବାଳୟ/ଲୋକସେବା ଭବନ ଘେରାଉ କରିବାକୁ ଘୋଷଣା କରିଛି । ବିଜେଡିର ଏହି ପ୍ରସ୍ତାବିତ ଘେରାଉକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ଗାଇଡଲାଇନ୍ ଜାରି କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରିଛନ୍ତି । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନ, କୃଷି ଭବନ ଓ ବିଭାଗୀୟ ମୁଖ୍ୟାଳୟ ଭବନରେ କାର୍ୟ୍ୟରତ କର୍ମଚାରୀମାନଙ୍କୁ ଆସନ୍ତାକାଲି ସକାଳ ସାଢ଼େ ୯ଟା ପୂର୍ବରୁ ଅଫିସ୍ ଆସିବା ନିମନ୍ତେ ତାଗିଦ୍ କରାଯାଇଛି ।
ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମହତ୍ୟା ମାମଲାରେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଛି । କଂଗ୍ରେସ ସମେତ ସିପିଆଇ, ସିପିଆଇ (ଏମ୍), ସିପିଆଇ (ଏମ୍ଏଲ) ଲିବେରେସନ୍, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍, ଏନ୍ସିପି, ସମାଜବାଦୀ ପାର୍ଟି, ଆର୍ଜେଡି ପ୍ରମୁଖ ୮ଟି ଦଳ ଏହି ବନ୍ଦ ଡ଼ାକରା ଦେଇଛନ୍ତି । ସ୍କୁଲ, କଲେଜ ସମେତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ବ୍ୟବସାୟିକ ପ୍ରତିଷ୍ଠାନ, ବ୍ୟାଙ୍କ, ଗାଡ଼ି, ମୋଟର ଚଳାଚଳ ମଧ୍ୟ ବନ୍ଦ ରହିବ ।
ସକାଳ ୧୦ଟାରୁ ଲୋକସେବା ଭବନ ଘେରାଉ କରିବ ବିଜେଡି । ନ୍ୟାୟ ଦାବିରେ ମଙ୍ଗଳବାର ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନଠାରୁ ରାମମନ୍ଦିର ଛକ ପର୍ୟ୍ୟନ୍ତ ବିଜେଡି କର୍ମକର୍ତ୍ତାମାନେ ମହମବତୀ ରାଲି କରିଥିଲେ । ରାଜ୍ୟବ୍ୟାପୀ ବିଜେଡି କର୍ମୀ ଓ ଛାମୁଆ ସଂଗଠନ କର୍ମକର୍ତ୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କଂଗ୍ରେସ ଭବନରେ ମିଳିତ ବିରୋଧୀ ଦଳର ସାମ୍ବାଦିକ ସମ୍ମିଳନୀରେ ଭକ୍ତ କହିଛନ୍ତି, ସୌମ୍ୟାଶ୍ରୀ ଆତ୍ମହତ୍ୟା ମାମଲାର ନ୍ୟାୟିକ ତଦନ୍ତ ଦାବି କରିଛି ମିଳିତ ବିରୋଧୀ ଦଳ ।