
ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ବାଘ ଧରିଆ ଗାଁରେ ହାତୀ ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଝୁଲଣା ଦେହୁରୀ (୫୫) ଏବଂ ତାଙ୍କ ଦେଢ଼ଶୂର କରୁଣାକର ଦେହୁରୀ (୬୦) ଏବଂ ଶଶି ସାହୁ।
ଗୁରୁବାର ଝୁଲଣା ଦେହୁରୀ ଫୁଲ ତୋଳୁଥିବା ସମୟରେ ତାଙ୍କୁ ହାତୀ ଆକ୍ରମଣ କରିଥିଲା। ସେ ନିଜ ଜୀବନ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ଦେଢ଼ଶୂର କରୁଣାକର ଦେହୁରୀ ବାହାରକୁ ଆସିଥିଲେ। ହାତୀ କରୁଣାକରଙ୍କୁ ଦେଖି ଆକ୍ରମଣ କରିଥିଲା। ଉଭୟ ଝୁଲଣା ଏବଂ କରୁଣାକରଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।ଏହାପରେ ଗାଁର ଶଶି ସାହୁ ହାତୀ ସହ ମୁହାଁମୁହିଁ ହୋଇଥିଲେ। ହାତୀ ତାଙ୍କୁ ଆକ୍ରମଣ କରିଥିଲା। ସେ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଚିକିତ୍ସା ଲାଗି ଅନୁଗୁଳ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ହାତୀ ଆକ୍ରମଣ ସ୍ଥାନୀୟ ଅଞ୍ଚଳରେ ଘଟି ଚାଲିଥିବାବେଳେ ପ୍ରଶାସନ ଏନେଇ ନୀରବ ରହିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାପରେ ଗାଁଠାରୁ ପ୍ରାୟ ୩ କିଲୋମିଟର ଦୂରରେ ଥିବା ପୁରୁଣା କଟକସମ୍ବଲପୁର ରାସ୍ତା ସାତ ମାଇଲ ଛକରେ ଲୋକେ ମୃତଦେହକୁ ରାସ୍ତାରେ ରଖି ରାସ୍ତା ରୋକ କରିଛନ୍ତି। ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରିବା ସହିତ ହାତୀ ଆକ୍ରମଣରୁ ଲୋକଙ୍କ ସୁରକ୍ଷା ପାଇଁ ସ୍ଥାନୀୟ ଅଞ୍ଚଳରେ ସୌର ବାଡ଼ ନିର୍ମାଣ ପାଇଁ ଦାବି କରିଛନ୍ତି।