
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନରେ କ୍ର୍ୟୁ ମେମ୍ବରଙ୍କ ସହ ମୋଟ ୨୪୨ ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ଯାତ୍ରୀ ଓ ୫୩ ଜଣ ବ୍ରିଟିସ ନାଗରିକ ରହିଥିଲେ । ଏହି ଦୁର୍ଘଟଣା ପରେ ହେଲ୍ପଲାଇନ୍ ନମ୍ବର ଜାରି କରିଛି ଏୟାର ଇଣ୍ଡିଆ ।ଏୟାର ଇଣ୍ଡିଆ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ଯାତ୍ରୀଙ୍କ ବାବଦରେ କିଛି ଜାଣିବାକୁ ଚାହୁଥିଲେ ୧୮୦୦୫୬୯୧୪୪୪ ନମ୍ବରରେ ଯୋଗାଯୋଗ କରିପାରିବେ । ସୋସିଆଲ ମିଡିଆ ସାଇଟ୍ ଏକ୍ସ ହ୍ୟାଣ୍ଡେଲ୍ରେ ଏୟାର ପକ୍ଷରୁ କୁହାଯାଇଛି ଯେ, ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି । ଅହମ୍ମଦାବାଦ ବିମାନ ବନ୍ଦରରୁ ଲଣ୍ଡନ ଅଭିମୁଖେ ଏୟାର ଇଣ୍ଡିଆର ବୋଇଂ ୭୮୭-୮ ବିମାନ ଉଡ଼ାଣ ଭରିଥିଲା । ଏହି ବିମାନରେ ମୋଟ କ୍ର୍ୟୁ ମେମ୍ବରକୁ ମିଶାଇ ମୋଟ ୨୪୨ ଜଣ ଯାତ୍ରୀ ରହିଥିଲେ । ସେମାନଙ୍କ ମଧ୍ୟରେ ୧୬୯ ଭାରତୀୟ ନାଗରିକ, ୫୩ ବ୍ରିଟିସ ନାଗରିକ, ୭ ପର୍ତ୍ତୁଗାଲ ନାଗରିକ ଓ ଜଣେ କାନାଡାର ନାଗରିକ ଯାତ୍ରା କରୁଥିଲେ । ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଯାଞ୍ଚ ଅଧିକାରୀଙ୍କୁ ସମସ୍ତ ପ୍ରକାର ସହଯୋଗ କରାଯାଉଛି । ଏହି ବଡ଼ ଧରଣର ଦୁର୍ଘଟଣା ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏକ କଣ୍ଟ୍ରୋଲ୍ ରୁମ୍ ଆରମ୍ଭ ହୋଇଛି । ୦୧୧-୨୪୬୧୦୮୪୩ ଓ ୯୬୫୦୩୯୧୮୫୯ ନମ୍ବରରେ ସମ୍ପର୍କ କରି ନିଜ ସମ୍ପର୍କୀୟଙ୍କ ବିଷୟରେ ସୂଚନା ପାଇପାରିବେ ପରିବାର ଓ ପରିଜନ । ସେପଟେ ଜରୁରୀକାଳୀନ ସେବା ଏବଂ ସୂଚନା ପାଇଁ ଅହମ୍ମଦାବାଦ ସିଟି ପୁଲିସ ମଧ୍ୟ ହେଲ୍ପଲାଇନ୍ ନମ୍ବର ୦୭୯୨୫୬୨୦୩୫୯ ଜାରି କରିଛି ।