
ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୧୬ ତାରିଖରୁ ବର୍ଷାର ପ୍ରଭାବ ବଢ଼ିବ। ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ୧୬ ତାରିଖ ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରିସ୍ଥିତି ସୁହାଇଲେ ଏହା ପ୍ରଭାବରେ ଏକ ଲଘୁଚାପ ମଧ୍ୟ ସୃଷ୍ଟି ହୋଇପାରେ। ଏମିତି ହେଲେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ବର୍ଷାର ପ୍ରଭାବ ବୃଦ୍ଧି ପାଇବ। ବର୍ତ୍ତମାନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ପାଇଁ ପାଗ ଅନୁକୂଳ ରହିଛି। ୧୪-୧୫ ତାରିଖ ଅର୍ଥାତ ପହିଲି ରଜ ଓ ରଜ ସଂକ୍ରାନ୍ତିରେ ମଧ୍ୟ ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି। ଏହି ସମୟରେ କେତେକ ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ସହ ବିଜୁଳି ଘଡ଼ଘଡ଼ି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଶେଷ ରଜ ଅର୍ଥାତ ୧୬ ତାରିଖରୁ ବର୍ଷାର ପ୍ରଭାବ ବଢ଼ିବା ନେଇ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଗତ ୨୪ ଘଣ୍ଟାରେ ମାଲକାନଗିରିରେ ୧୩ ମିମି ବର୍ଷା ହୋଇଥିବା ବେଳେ ମାଲକାନଗିରିରେ ୧୨ ମିମି ଓ ବାକି ଅଞ୍ଚଳରେ ୧୦ ମିମିରୁ କମ୍ ବର୍ଷା ରେକର୍ଡ ହୋଇଛି।