
ଭୁବନେଶ୍ୱର: ଆସନ୍ତା ୨୭ ତାରିଖରେ ରାଜ୍ୟରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇପାରେ । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ପଶ୍ଚିମବଙ୍ଗ ଓ ବାଲାଂଦେଶ ଉପକୂଳରେ ଏହି ଲଘୁଚାପ ସୃଷ୍ଟିର ସମ୍ଭାବନା ଅଛି । ଏହା ପ୍ରଭାବରେ ୨୬ରୁ ୨ ତାରିଖ ଯାଏ ଓଡ଼ିଶାର ବିସ୍ତୃତ ଅଞ୍ଚଳରେ ଅଧିକ ବର୍ଷା ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍ଡି) ବିସ୍ତାରିତ ଆକଳନ କରି ଏହି ସୂଚନା ଜାରି କରିଛି ।
ଆଇଏମ୍ଡି ପୂର୍ବାନୁମାନ କହୁଛି, ଦେଶର ଉତ୍ତର ପୂର୍ବ, ଝାଡ଼ଖଣ୍ଡ ଓ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଥିବା ସ୍ପଷ୍ଟ ଚିହ୍ନିତ ଲଘୁଚାପ ଆସନ୍ତା ଦୁଇ ଦିନରେ ଦୁର୍ବଳ ହୋଇଯିବ । ତେବେ ୧୯ରୁ ୨୨ ତାରିଖ ଯାଏ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ୨୫ ତାରିଖ ଯାଏ ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ୪୦ରୁ ୫୦ କିମି ବେଗରେ ପବନ ବି ବହିପାରେ । ୨୬ ତାରିଖ ସୁଦ୍ଧା ମୌସୁମୀ ଦେଶର ସବୁ ସ୍ଥାନକୁ ଅଗ୍ରସର ହୋଇଯିବ ବୋଲି ବିସ୍ତାରିତ ଆକଳନରେ କୁହାଯାଇଛି ।
ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ୨୦ ତାରିଖରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ବର୍ଷା ହୋଇପାରେ । ୨୧ ଓ ୨୨ ତାରିଖରେ ମୟୂରଭଞ୍ଜ ଓ କେନ୍ଦୁଝରରେ ଅଧିକ ବର୍ଷା ସମ୍ଭାବନା ଅଛି ।