
ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି। ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏହି ଲଘୁଚାପ ଧୀରେଧୀରେ ଶକ୍ତିଶାଳୀ ହେଉଥିବାରୁ ପ୍ରାୟ ୩୦ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି। ପାଣିପାଗ ବିଶେଷଜ୍ଞ କହିଛନ୍ତି ଯେ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବିଶେଷ ଶକ୍ତି ଗୋଟାଇ ପାରୁନାହିଁ। ବୁଧବାର ଏହା ସେହି ସ୍ଥାନରେ ରହି ୨୯ରେ ସମ୍ଭବତଃ ଛତିଶଗଡ଼ରେ ପହଞ୍ଚିପାରେ। ତେବେ ଏହି ଲଘୁଚାପ ଯୋଗୁଁ ବୁଧବାର ରାଜ୍ୟର ଅଧିକାଂଶ ଅଞ୍ଚଳରେ ସକାଳ ଓଳି ପାଗ ଶୁଖିଲା ଓ ଖରାଟିଆ ରହିବ। ଭୁବନେଶ୍ୱରରେ ସମେତ କଟକ, ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଓ ନୟାଗଡ଼ରେ ପାଗ ପରିବର୍ତ୍ତନ ଆସିବ ଓ ବର୍ଷା ହୋଇପାରେ। ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ଉପରବେଳା ୨ଟା ପରେ ପାଗ ମେଘୁଆ ସହିତ ସ୍ୱଳ୍ପ ବର୍ଷା ହୋଇପାରେ। ୨୮ତାରିଖ ଗୁରୁବାରରେ ପାଗ ମଙ୍ଗଳବାର ପରି ହେବାର ସମ୍ଭାବନା ରହିଥିବା ବେଳେ ୨୯ରେ କେନ୍ଦ୍ରୀୟ ଓ ଉତ୍ତର ଓଡ଼ିଶା, ୩୦ରେ ଉତ୍ତର ଓ ପଶ୍ଚିମ ଓଡ଼ିଶା ଏବଂ ୩୧ରେ ପ୍ରାୟତଃ ଅଧିକାଂଶ ସ୍ଥାନରେ ସ୍ୱଳ୍ପ ଏବଂ ଅଳ୍ପ କେତେକ ସ୍ଥାନରେ ମଧ୍ୟମଧରଣର ବର୍ଷା ହୋଇପାରେ। ଅନ୍ୟପଟେ ୩ ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଥିବା ବେଳେ ତାହା ମଧ୍ୟ ବିଶେଷ ଶକ୍ତିଶାଳୀ ହୋଇପାରିବ ନାହିଁ ।