
ନୂଆଦିଲ୍ଲୀ: ୪ ରାଜ୍ୟର ୫ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ । ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ଆସନ ମଧ୍ୟରେ କେରଳର ନିଲାମ୍ବୁରୁ ରାଜ୍ୟ ରାଜନୀତି ଦୃଷ୍ଟିକୋଣରୁ ଖୁବ ଗୁରୁତ୍ବପୂର୍ଣ୍ଣ । ଏଲଡିଏଫ ସମର୍ଥିତ ବିଭି ଅନବରଙ୍କ ଇସ୍ତଫା ପରେ ଏହି ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଏଥିରେ ବିରୋଧୀ ୟୁଡିଏଫର କଂଗ୍ରେସ ପ୍ରାର୍ଥୀ ଆରିୟାଧାଦ ସୌକାତ, ଶାସକ ଏଲଡିଏଫ ପ୍ରାର୍ଥୀ ଏମ ସ୍ବରାଜ ଓ ସ୍ବାଧୀନପ୍ରାର୍ଥୀ ପିଭି ଅନୱରଙ୍କ ମଧ୍ୟରେ ତ୍ରୀମୁଖୀ ଲଢ଼େଇ ହେଉଛି । ବିଜେପି ଏଠାରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ମୁଖ୍ୟତ ଏହି ଉପରୋକ୍ତ ୩ଜଣ ମଧ୍ୟରେ ଭୋଟରଙ୍କ ମନ ଜିତିବା ପାଇଁ ପ୍ରଚାର ଜୋରଦାର ହୋଇଥିଲା । ସେହିଭଳି ପଞ୍ଜାବ ଲୁଧିୟାନା ପଶ୍ଚିମ ବିଧାନସଭା ଆସନରେ ହେଉଥିବା ଉପନିର୍ବାଚନ ଉପରେ ନଜର ରହିବ । ଏଠାକାର ଆପ ବିଧାୟକ ଗୁରୁପ୍ରୀତ ଗୋଗଇଙ୍କ ମୃତ୍ୟୁ ଯୋଗୁଁ ଉପନିର୍ବାଚନ ହେଉଛି । ଆପ ରାଜ୍ୟସଭା ସଭ୍ୟ ସଞ୍ଜୀବ ଆରୋଙ୍କୁ ପ୍ରାର୍ଥୀ କରିଛି । ଦୁଇ ଦୁଇ ଥର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଭାରତ ଭୂଷଣ ଆଶୁ କଂଗ୍ରେସ ପ୍ରାର୍ଥୀ ହିସାବରେ ସଞ୍ଜୟ ଆରୋରାଙ୍କୁ ଜୋରଦାର ଟକ୍କର ଦେଉଛନ୍ତି । ସେହିଭଳି ବିଜେପିର ଜୀବନ ଗୁପ୍ତା ଓ ଅକାଳୀଦଳର ପରୁପୁରକର ସିଂ ଘୁମନଙ୍କ ଉପସ୍ଥିତି ଉପନିର୍ବାଚନକୁ ରୋଚକ କରୁଛି । ଗୁଜରାଟ କଡିର ବିଜେପି ବିଧାୟକ କରଣସିଂ ପଞ୍ଜାବୀଭାଇ ଶୋଲାଙ୍କୀଙ୍କ ମୃତ୍ୟୁ ଓ ଭିସାଭଦ୍ରର ଆପ ବିଧାୟକ ଓ ଭୁପେନ୍ଦ୍ରଭାଇ ଭୟାନୀ ଇସ୍ତଫା କାରଣରୁ ଉପନିର୍ବାଚନ ହେଉଛି । ଏହାଛଡା ପଶ୍ଚିମବଙ୍ଗର କାଲିଗଞ୍ଜ ଟିମଏସି ବିଧାୟକ ନସିରୁଦ୍ଧିନ ଅହମଙ୍କ ମୃତ୍ୟୁ ପରେ ହେଉଛି ଉପନିର୍ବାଚନ । ଏହି ସମସ୍ତ ଉପନିର୍ବାଚନର ଫଳାଫଳ ସେଠାକାର ଶାସକ ଦଳ ଉପରେ ବିଶେଷ ପ୍ରଭାବ ନପକାଇପାରେ କିନ୍ତୁ ଆଗାମୀ ଦିନର ବିଧାନସଭା ନିର୍ବାଚନ ପାଇଁ ଗୁରୁତ୍ବବହନ କରୁଛି ।