
କଟକ: ଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଜଣେ ଶତାୟୁ ସଂଗ୍ରାମୀଙ୍କୁ ଏ ପର୍ୟ୍ୟନ୍ତ ପେନସନ ପ୍ରଦାନ କରା ନ ଯିବା ଘଟଣାକୁ ହାଇକୋର୍ଟ ଗୁରୁତ୍ବର ସହିତ ଗ୍ରହଣ କରିଛନ୍ତି। ଆଉ ବିଳମ୍ବ ନ କରି ୬ ସପ୍ତାହ ଭିତରେ ୧୦୧ ବର୍ଷିୟ ସ୍ବାଧୀନତା ସଂଗ୍ରାମୀଙ୍କୁ ପେନସନ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।ସ୍ବାଧୀନତା ପାଇଁ ଦେଇଥିବା ବଳିଦାନ ଲାଗି ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ପ୍ରଦାନ କରିବା ସରକାରଙ୍କ ବିଧିସମ୍ମତ କର୍ତ୍ତବ୍ୟ ବୋଲି ହାଇକୋର୍ଟ କହିଛନ୍ତି। ୨୦୦୨, ଅକ୍ଟୋବର ୯ର ବିଜ୍ଞପ୍ତି ଅନୁସାରେ ସବୁ ଦୃଷ୍ଟିରୁ ଯୋଗ୍ୟ ଆବେଦନକାରୀ ସ୍ବାଧୀନତା ସଂଗ୍ରାମୀ ପେନସନ ପାଇବାକୁ ଯୋଗ୍ୟ। ତେଣୁ ଆବେଦନକାରୀଙ୍କୁ ସ୍ବାଧୀନତା ସଂଗ୍ରାମୀ ପେନସନ ପ୍ରଦାନ କରିବାକୁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବ୍ରହ୍ମାନନ୍ଦ ଜେନାଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।