
ନୂଆଦିଲ୍ଲୀ: ଗୁରୁବାର ଅହମଦାବାଦରେ ଭୟଙ୍କର ବିମାନ ଦୁର୍ଘଟଣାରେ ସବୁକିଛି ପୋଡି ପାଉଁଶ ହୋଇଯାଇଛି । ଅନେକଙ୍କ ସ୍ୱପ୍ନ ମଧ୍ୟ ବିମାନ ନିଆଁରେ ଜଳିଯାଇଛି । ୨୬୦ରୁ ଅଧିକ ଜୀବନ ନେଇଥିବା ଏହି ଭୟଙ୍କର ବିମାନ ଦୁର୍ଘଟଣା ସାରା ଦେଶରେ ଶୋକାକୂଳ ପରିବେଶ ଦେଇଛି । ହେଲେ ବିମାନ ଦୁର୍ଘଟଣାରେ ଗୋଟିଏ ଭଗବଦ୍ ଗୀତା ବହି ସୁରକ୍ଷିତ ଭାବରେ ମିଳିଛି । ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଉଦ୍ଧାର କାର୍ୟ୍ୟରେ ନିୟୋଜିତ ଥିବା ଜଣେ ଅଧିକାରୀ ଘଟଣା ସ୍ଥଳରୁ ଭଗବଦ୍ ଗୀତା ବହିଟି ପାଇଥିଲେ । ବହିର ସମସ୍ତ ପୃଷ୍ଠା ଓଲଟାଇ ସେ ଦେଖିଥିଲେ ଯେ ବହିଟି ଟିକେ ବି ହେଲେ ନିଆଁରେ ଜଳି ନଥିଲା । ଏହି ଭଗବଦ୍ ଗୀତା ବହିଟି ଗୁଜରାଟୀ ଭାଷାରେ ଲେଖାଥିବା ଦେଖିବାକୁ ମିଳିଛି ।
ବିମାନ ଦୁର୍ଘଟଣାରେ ୧୦୦୦ଂ ସେଲସିୟସ୍ ତାପମାତ୍ରାରେ ଭଗବଦ୍ ଗୀତା ସୁରକ୍ଷିତ ମିଳିଥିଲା । ଯେଉଁ ତାପମାତ୍ରାରେ ଲୁହା ମଧ୍ୟ ତରଳିଗଲା, ହେଲେ ଗୀତାର ଗୋଟିଏ ବି ପୃଷ୍ଠା କ୍ଷତିଗ୍ରସ୍ତ ହୋଇନଥିଲା । ବିମାନରେ ନିଆଁ ଲାଗିବା ବେଳେ ଚାରି ପାଖର ତାପମାତ୍ରା ହଜାରେ ଡିଗ୍ରୀ ସେଲସିୟସରେ ପହଞ୍ଚିଥିଲା । ଏହି କାରଣରୁ ଉଦ୍ଧାର କାର୍ୟ୍ୟ ବହୁତ କଷ୍ଟକର ହୋଇଥିଲା । ପାଖରେ ଥିବା ପଶୁ ପକ୍ଷୀମାନେ ମଧ୍ୟ ଏଥିରୁ ବର୍ତ୍ତିନଥିଲେ, ସମସ୍ତେ ପୋଡି ପାଉଁଶ ହୋଇଯାଇଥିଲେ । ଉଦ୍ଧାର କାର୍ୟ୍ୟରେ ଥିବା ଜଣେ ଅଧିକାରୀ କହିଛନ୍ତି ମୁଁ ଦୀର୍ଘ ୮ବର୍ଷ ହେବ ବିପର୍ୟ୍ୟୟ ପରିସ୍ଥିତି ଦେଖିଛି ହେଲେ ଏଭଳି କେବେ ଦେଖିନାହିଁ । ଆମେ ପିପିଇ କିଟ୍ ପିନ୍ଧି ଉଦ୍ଧାର କାର୍ୟ୍ୟରେ ଲାଗିଥିବା ବେଳେ ଏହା କଷ୍ଟକର ହୋଇଥିଲା । ସବୁଠି ଭଗ୍ନାବିଶେଷ ବିଛାଡି ହୋଇ ପଡିଥିଲା ।