
ଭୁବନେଶ୍ୱର :ସମାଜର ପ୍ରତ୍ୟେକ ବର୍ଗଙ୍କ ସହଯୋଗ ଏବଂ ପରାମର୍ଶରେ ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ । ଏଥି ନିମନ୍ତେ ପ୍ରତ୍ୟେକଙ୍କ ମତାମତକୁ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ଥିବା ସଂପର୍କରେ ରାଜ୍ୟ ଆଇନ, ପୂର୍ତ୍ତ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସମାଜର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ଜିଲ୍ଲା ସ୍ତରରେ ପ୍ରତ୍ୟେକ ବର୍ଗର ମତାମତକୁ ବିଚାରକୁ ନିଆଯାଇ ପ୍ରଶାସନିକ ସ୍ତରରେ ସହଯୋଗ ଜାରି ରଖିବାକୁ ହେବ । ଏହା ଦ୍ୱାରା ଓଡ଼ିଶା ଭିଜନ ୨୦୩୬ ଏବଂ ୨୦୪୭ ହାସଲ କରିବାରେ ସହାୟକ ହେବ ବୋଲି ସେ କହିଛନ୍ତି ।
ଖୋରଧା ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପରିସରରେ ଅନୁଷ୍ଠିତ ବିକଶିତ ଖୋର୍ଦ୍ଧା ପାଇଁ ବିକଶିତ ଓଡ଼ିଶା ପରାମର୍ଶ କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଲେ ଯେ ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ଦୃଷ୍ଟିରୁ ଖୋର୍ଦ୍ଧା ଜିଲ୍ଲାର ସ୍ୱତନ୍ତ୍ରତା ରହିଛି । ଏହାକୁ ପାଥେୟ କରି ଭବିଷ୍ୟତ ପିଢ଼ି ପାଇଁ ନୂତନ ପରିକଳ୍ପନାର ଆବଶ୍ୟକତା ରହିଛି । ପରିବେଶ ସୁରକ୍ଷା, ବୈଜ୍ଞାନିକ ଜ୍ଞାନକୌଶଳର ଉପଯୋଗ, ଶିଳ୍ପ ଅଭିବୃଦ୍ଧି ଏବଂ ଜୈବିକ କୃଷିକୁ ପ୍ରାଧାନ୍ୟ ଦିଆଯିବ । ଏତଦ୍ବ୍ୟତୀତ ପ୍ରତ୍ୟେକ ଯୋଜନା ସଂପର୍କରେ ସଂପୃକ୍ତ ହିତାଧିକାରୀ ଭଲ ଭାବେ ଅବଗତ ହୋଇପାରିଲେ ଅଭିବୃଦ୍ଧି ଲକ୍ଷ୍ୟ ସାଧନ ହୋଇପାରିବ ବୋଲି ସେ କହିଥିଲେ ।
ସେହିଭଳି ସମ୍ମାନିତ ଅତିଥି ଭାବେ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ଓଡ଼ିଶା ଭିଜନ ଲକ୍ଷ୍ୟ ହାସଲ ପାଇଁ ସରକାରଙ୍କ ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ । ଖୋର୍ଦ୍ଧା ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ଭାବେ ଜିଲ୍ଲାକୁ ପ୍ରଗତିର ଶିଖରରେ ପହଞ୍ଚାଇବାକୁ ସମସ୍ତଙ୍କ ସହଯୋଗ ଲୋଡ଼ିବା ସହ ତୃଣମୂଳ ସ୍ତରରେ ବିକାଶର ସୁଫଳ ପହଞ୍ଚାଇବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେହିଭଳି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା ଓଡ଼ିଶା ଭିଜନରେ ଖୋର୍ଦ୍ଧା ଜିଲ୍ଲାର ଭାଗୀଦାରିତା ଉପରେ ମତବ୍ୟକ୍ତ କରିଥିଲେ । ସମସ୍ତଙ୍କ ପାଇଁ ସମାନ ସୁବିଧା ଉପଲବ୍ଧ କରାଇବା ସହ ସହଯୋଗୀ ବିକାଶ ବର୍ତ୍ତମାନର ନିତାନ୍ତ ଆବଶ୍ୟକ ବୋଲି ସେ ଉଲ୍ଲେଖ କରିଥିଲେ ।
ସେହିଭଳି ଏହି କର୍ମଶାଳାରେ ପ୍ରଥମ ପର୍ୟ୍ୟାୟ ଆଲୋଚନା ଚକ୍ରରେ ଶିକ୍ଷା, ଦକ୍ଷତା ବିକାଶ ଶିକ୍ଷା ଓ ଜୀବିକାକୁ ନେଇ ଗୋଷ୍ଠୀ ସଶକ୍ତିକରଣ ଉପରେ ଆଲୋଚନା ହୋଇଥିଲା । ଏଥିରେ ସିୱାଇଏସ୍ଡ଼ି ଅଧ୍ୟକ୍ଷ ଶ୍ରୀ ଜଗଦାନନ୍ଦ ଅଧ୍ୟକ୍ଷତା କରିଥିବାବେଳେ ଏନ୍ସିଆର୍ଟିର ପୂର୍ବତନ ପ୍ରଫେସର ପ୍ରଫେସର ପି.କେ. ଦାସ, ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଅନୁପ ଦାସ ଯୋଗଦେଇ ନିଜର ମତାମତ ପ୍ରକାଶ କରିଥିଲେ । ସେହିଭଳି ଦ୍ୱିତୀୟ ପର୍ୟ୍ୟାୟ ଆଲୋଚନାରେ ନବସୃଜନ, ଶିଳ୍ପ ଓ ପର୍ୟ୍ୟଟନ ଉପରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଓପିଏସିର ପୂର୍ବତନ ଅଧ୍ୟକ୍ଷ ବ୍ରିଗେଡ଼ିଅର ଡ. ଏଲ୍.ସି. ପଟ୍ଟନାୟକ ଅଧ୍ୟକ୍ଷତା କରିଥିବାବେଳେ ତାମିଲନାଡ଼ୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ପଦ୍ମଶ୍ରୀ ଏ.ପି. ଦାସ, ଭାରତୀୟ ପର୍ୟ୍ୟଟନ ଓ ଭ୍ରମଣ ପରିଚାଳନା ସଂସ୍ଥାର ପୂର୍ବତନ ନିର୍ଦ୍ଦେଶକ ପ୍ରଫେସର ସୀତାକାନ୍ତ ମିଶ୍ର ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତାମତ ରଖିବା ସହ ବିଭିନ୍ନ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ଅନ୍ୟ ପକ୍ଷରେ ଏଏସ୍ବିଏମ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଅଧ୍ୟକ୍ଷ ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ମଧ୍ୟ ନିଜର ମନ୍ତବ୍ୟ ପ୍ରଦାନ କରିଥିଲେ ।
ସେହିଭଳି ଖୋରଧାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଏବଂ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ ପ୍ରମୁଖ ଧନ୍ୟବାଦ ଅର୍ପଣ କରିବା ସହ ନିଜର ମାନସିକତାରେ ପରିବର୍ତ୍ତନ ଆଣିପାରିଲେ ଗୋଷ୍ଠୀ ବିକାଶ ସହ ଜିଲ୍ଲା ଓ ରାଜ୍ୟର ବିକାଶ ହୋଇପାରିବ ବୋଲି କହିଥିଲେ । ଭୁବନେଶ୍ୱର ଉପଜିଲ୍ଲାପାଳ ଡ. ମନୋରଞ୍ଜନ ସାହୁ, ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ସହଯୋଗ କରିଥିବା ବେଳେ ବୁଦ୍ଧିଜୀବୀ, ବିଭିନ୍ନ ବେସରକାରୀ ସଂସ୍ଥାର କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।