
ଭୁବନେଶ୍ୱର: ବାଲେଶ୍ୱର ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୂତୀ ଉଦ୍ୟମ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରବିବାର ଭୁବନେଶ୍ୱର ଏମ୍ସ ଯିବାର କାର୍ଯ୍ୟକ୍ରମ ରହିଛି । ଗୁରୁତର ଛାତ୍ରୀଙ୍କୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ଏମ୍ସ ଯିବେ । ଏମ୍ସ ଆସି ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିବେ ବୋଲି ଜଣାଯାଇଛି । ଛାତ୍ରୀଙ୍କ ପରିବାର ଲୋକଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇଛନ୍ତି ।
ବାଲେଶ୍ବର ଫକୀରମୋହନ କଲେଜରେ ଆତ୍ମାହୂତୀ ଉଦ୍ୟମ କରିଥିବା ଛାତ୍ରୀ ଏବେ ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅଛନ୍ତି । ଛାତ୍ରୀଙ୍କ ଅବସ୍ଥା ଏବେ ବି ଗୁରୁତର ଥିବା ଏମ୍ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ସୂଚନା ଦେଇଛନ୍ତି । ଛାତ୍ରୀ ଜଣଙ୍କ ଆହୁରି ୪୮ ଘଣ୍ଟା ଅବଜରଭେସନରେ ରହିବେ । ଶରୀର ବାହ୍ୟ ଅଂଶରୁ ଯେଉଁ କ୍ଷତ ହୋଇଛି ସେଥିରୁ ଜଣାପଡୁଛି ୯୫ ପ୍ରତିଶତ ପୋଡ଼ିଯାଇଛି । ଶରୀରର ଅଧିକାଂଶ ଅଂଶରେ ଡ଼ିପ୍ ବର୍ଣ୍ଣ ହୋଇଛି । ଶ୍ୱାସନଳୀର କିଛି ଅଂଶ ମଧ୍ୟ ବିଶେଷ ଭାବରେ ପ୍ରଭାବିତ ହୋଇଛି ।
ଶନିବାର ଠାରୁ ଭେଣ୍ଟିଲେଟର ସାହାଯ୍ୟରେ ଛାତ୍ରୀଙ୍କୁ ରଖାଯାଇଛି । ସ୍ୱାସ୍ଥ୍ୟାବସ୍ଥାରେ ବିଶେଷ ପରିବର୍ତ୍ତନ ହୋଇନି । ଶରୀରର ଇଣ୍ଟରନାଲ ପାର୍ଟ ମଧ୍ୟରେ କିଡ଼ନୀ ଏବଂ ଲଙ୍ଗସ ପ୍ରଭାବିତ ହୋଇଛି । ମାତ୍ର ଇଣ୍ଟରନାଲ ପାର୍ଟ କେତେ ଅଧିକ କ୍ଷତି ହୋଇଛି ତାହା ଏବେ କହିବ କଷ୍ଟକର । ଅବସ୍ଥା ଗୁରୁତର ରହିଛି । ବର୍ଣ୍ଣ କେସ୍ରେ ଇନଫେକ୍ସନର ସମ୍ଭାବନା ଅଧିକ ଥିବାରୁ ଘର ଲୋକଙ୍କୁ ଦେଖିବାକୁ ମଧ୍ୟ ଛଡାଯାଇନାହିଁ । ଛାତ୍ରୀ ଜଣଙ୍କ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏୟାର ଲିଫ୍ଟିଂ ହେବ କି ନାହିଁ କମିଟି ନିଷ୍ପତି ନେବ । ବିଭିନ୍ନ ବିଭାଗ ଯେମିତିକି ବର୍ଣ୍ଣ ଏବଂ ପ୍ଲାଷ୍ଟିକ, ମେଡ଼ିସିନ ପଲମନାରୀ, କ୍ରିଟିକାଲ କେୟାର, କାର୍ଡ଼ିଓଲୋଜି, ନେଫରୋଲୋଜି, ନର୍ସିଂ ବିଭାଗର ବରିଷ୍ଠ ଡାକ୍ତରୀ ଟିମ୍ ଚିକିତ୍ସା କରୁଛନ୍ତି । ସକାଳୁ ଡ୍ରେସିଂ ହୋଇସାରିଛି ।