
ଭୁବନେଶ୍ବର: ଆସନ୍ତା ଦଶନ୍ଧି ମଧ୍ୟରେ ରାଜ୍ୟରେ ଟେକ୍ସଟାଇଲ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି ହେବ । ରାଜ୍ୟରେ ପ୍ରତିବର୍ଷ ଟେକ୍ସଟାଇଲ କନକ୍ଲେଭର ଆୟୋଜନ କରାଯିବ । ଭୁବନେଶ୍ୱରରେ ଅନୁଷ୍ଠିତ ଓଡିଶାର ପ୍ରଥମ ଓଡିଶା ଟେକ୍ସଟାଇଲ କନକ୍ଲେଭରେ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇଣ୍ଡଷ୍ଟ୍ରି କ୍ଷେତ୍ରରେ କାର୍ଯ୍ୟରତ ବୁଣାକାରଙ୍କ ମଜୁରୀ ରିହାତି ବୃଦ୍ଧି ଘୋଷଣା କରିବା ସହ ମୁଖ୍ୟମନ୍ତ୍ରୀ ଦୁଇଟି ଟେକ୍ସଟାଇଲ ପାର୍କ ଲୋକାର୍ପିତ କରିଛନ୍ତି। କାର୍ଯ୍ୟକ୍ରମରେ ୩୩ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ମୋଟ ୭,୮୦୮ କୋଟି ଟଙ୍କାର ପୁଞ୍ଜିନିବେଶରେ ୫୩,୩୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି । ସମସ୍ତ ସରକାରୀ କର୍ମଚାରୀ ସପ୍ତାହକୁ ଦିନଟେ ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପିନ୍ଧିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ ଦେଇଛନ୍ତି ।ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି ଓ-ଟେକ୍ସ ୨୦୨୫ । ରାଜ୍ୟର ପ୍ରଥମ ଟେକ୍ସଟାଇଲ ଓ ଆପାରେଲ କନକ୍ଲେଭ । ଲୋକସେବା ଭବନ କନଭେନ୍ସନ ସେଣ୍ଟରରେ ଅନୁଷ୍ଠିତ ହୋଇଛି ଓଡିଶା ଟେକ୍ସଟାଇଲ କନକ୍ଲେଭ । ଆଜିର କନକ୍ଲେଭରେ ୧୬୦ରୁ ଅଧିକ ବୃହତ ଓ ନୂତନ ଉଦ୍ୟୋଗୀ ଯୋଗ ଦେଇଛନ୍ତି । ବିଶ୍ୱର ନାମୀଦାମୀ ବ୍ରାଣ୍ଡ Page Industries, First Step Baby Wear, KPR Mills, Sportking, Adarsh Knitwear, Anubhav Apparels, Bon & Co. and B.L. ପ୍ରମୁଖ ଏହି କନକ୍ଲେଭରେ ସାମିଲ ହୋଇଛନ୍ତି । ଦେଶର ବୟନ ଓ ପୋଷାକ ଶିଳ୍ପକ୍ଷେତ୍ରର ପ୍ରାୟ ସମସ୍ତ ଶିଳ୍ପପତି ଉପସ୍ଥିତ ଥିଲେ । ଏହା ପୂର୍ବଭାରତର ସର୍ବବୃହତ ଟେକ୍ସଟାଇଲ କନକ୍ଲେଭ ବୋଲି ଉଦଘାଟନ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ମୁଖ୍ୟମନ୍ତ୍ରୀ ଜଗତସିଂହପୁର ଏବଂ ଭଦ୍ରକରେ ଦୁଇଟି ଟେକ୍ସଟାଇଲ ଓ ଫୁଟୱିୟର ପାର୍କ ଲୋକାର୍ପଣ କରିଛନ୍ତି । ଏହି କନକ୍ଲେଭରେ ମୋଟ ୩୩ଟି ଏମଓୟୁ ସ୍ୱାକ୍ଷରିତ ହୋଇଛି । ୭୮୦୮ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ଆସିଛି । ଏହା କାର୍ଯ୍ୟକାରୀ ହେବା ଦ୍ୱାରା ରାଜ୍ୟରେ ୫୩,୩୦୦ ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହା ସହିତ ପ୍ରତିବର୍ଷ ଏହି କନକ୍ଲେଭ ଆୟୋଜନ କରିବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଟେକ୍ସଟାଇଲ ଇଣ୍ଡଷ୍ଟ୍ରି କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ମଜୁରୀ ରିହାତି ମାସକୁ ଏକ ହଜାର ଟଙ୍କା ବୃଦ୍ଧି କରାଯାଇଛି । ଏହା ଦ୍ୱାରା ମହିଳା କର୍ମଚାରୀଙ୍କୁ ମାସକୁ ୬ ହଜାର ଟଙ୍କା ବଦଳରେ ୭ ହଜାର ଏବଂ ପୁରୁଷ କର୍ମଚାରୀଙ୍କୁ ମାସକୁ ୫ ହଜାର ବଦଳରେ ୬ ହଜାର ଟଙ୍କା ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀ ମାନଙ୍କୁ ସପ୍ତାହକୁ ଯେକୌଣସି ଗୋଟିଏ ଦିନ ହସ୍ତତନ୍ତ ପ୍ରସ୍ତୁତ ପୋଷାକ ପରିଧାନ କରିବା ପାଇଁ ଆହ୍ୱାନ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଓଡିଶାର ବସ୍ତ୍ର ଶିଳ୍ପ ବହୁତ ପ୍ରାଚୀନ । ଆମ ସଂସ୍କୃତି ଏବଂ ପରମ୍ପରା ସହିତ ଆମ ପୋଷାକ ଓ ପରିଧାନ ଜଡିତ ହୋଇ ରହିଛି । ପଶ୍ଚିମ ଓଡିଶାର ପାରମ୍ପାରିକ ବସ୍ତ୍ର ପ୍ରସ୍ତୁତି ପ୍ରକ୍ରିୟା, ବ୍ରହ୍ମପୁରର ରେଶମ, ଗଜପତି, କେନ୍ଦୁଝରର ଟସର ଏବଂ ମାଣିଆବନ୍ଧ ସୂକ୍ଷ୍ମକଳାର ସାରା ଦେଶରେ ସ୍ୱତନ୍ତ୍ର ପରିଚୟ ରହିଛି । ଏହି ସମସ୍ତ ପୋଷାକର ପ୍ରଚାର ପ୍ରସାର ମାଧ୍ୟମରେ ଓଡିଶାକୁ ଟେକ୍ସଟାଇଲ ହବ କରିବା ପାଇଁ ସରକାର ଉଦ୍ୟମ କରୁଛନ୍ତି । ଆସନ୍ତା ଦଶନ୍ଧି ମଧ୍ୟରେ ରାଜ୍ୟରେ ଟେକ୍ସଟାଇଲ କ୍ଷେତ୍ରରେ ୫ ଲକ୍ଷରୁ ଅଧିକ ରୋଜଗାର ସୃଷ୍ଟି କରିବା ସହିତ ୫ଟି ଟେକ୍ସଟାଇଲ ଓ ଆପାରେଲ ପାର୍କ ବିକଶିତ କରିବା ଦିଗରେ ସରକାର ଯୋଜନା କରୁଛନ୍ତି ।ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, “ଓଡିଶା ପୁଞ୍ଜିନିବେଶକାରୀ ମାନଙ୍କ ପାଇଁ ପ୍ରମୁଖ ଆକର୍ଷଣ ପାଲଟିଛି । ଚଳିତ ଆର୍ଥିକ ବର୍ଷରେ ଦେଶର ସମୁଦାୟ ଘରୋଇ ନିବେଶର ୪୦ ପ୍ରତିଶତ ଓଡିଶାକୁ ଆସିଛି । ଏହା ବିଶ୍ୱର ଉଦ୍ୟୋଗ ଜଗତର ସରକାରଙ୍କ ଉପରେ ଥିବା ଆସ୍ଥାକୁ ଦର୍ଶାଉଛି । ଏହା ଭରସାକୁ ଅତୁଟ ରଖିବା ଦିଗରେ ଆମର ଉଦ୍ୟମ ଜାରି ରହିବ । ଅନ୍ୟାନ୍ୟ ଶିଳ୍ପ ସହିତ ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଦେଶର ସବୁଠାରୁ ଆକର୍ଷଣୀୟ ସ୍ଥାନ ଭାବେ ପରିଗଣିତ ହୋଇପାରିଛି । ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରର ସବୁଠାରୁ ବଡ ଆକର୍ଷଣ ହେଉଛି ଏ କ୍ଷେତ୍ରରେ ବ୍ୟାପକ ନିଯୁକ୍ତି ସୁଯୋଗ ରହିଛି । ବିଶେଷକରି ମହିଳା ମାନଙ୍କୁ ଅଧିକ ନିଯୁକ୍ତିର ସୁଯୋଗ ରହିଛି । ଓଡ଼ିଶାର ଗ୍ରାମାଞ୍ଚଳ ଓ ଅର୍ଥନୈତିକ ପଛୁଆ ବର୍ଗର ଯୁବକ ଯୁବତୀମାନଙ୍କ ପାଇଁ ଏହା ବ୍ୟାପକ ସୁଯୋଗ ସୃଷ୍ଟି କରିବ । ଏହା ସହିତ ଓଡ଼ିଶାର ଆର୍ଥିକ ସମୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।”