
ନୂଆଦିଲ୍ଲୀ: ଆଜି କାରଗିଲ ବିଜୟ ଦିବସର ୨୬ତମ ପୂର୍ତ୍ତି ଅବସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ଦେଶବ୍ୟାପୀ ସହିଦଙ୍କୁ ସମ୍ମାନ ଜଣାଇ ସ୍ମୃତି ସମାରୋହ, ଶ୍ରଦ୍ଧାଞ୍ଜଳି ସଭା, ସାମରିକ ପ୍ରଦର୍ଶନ ଏବଂ ବିଶେଷ କାର୍ୟ୍ୟକ୍ରମ ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ହେଉଛି କାରଗିଲ୍ ବିଜୟ ଦିବସର ରୋପ୍ୟ ଜୟନ୍ତୀ ବର୍ଷ । ଭାରତୀୟ ସୈନିକଙ୍କ ତ୍ୟାଗ ଏବଂ ଦେଶପ୍ରେମକୁ ସମ୍ମାନ ଦେବାର ଏକ ସୁଯୋଗ । ୧୯୯୯ ମସିହା ଜୁଲାଇ ୨୬ରେ ପାକିସ୍ତାନ ସହିତ ଯୁଦ୍ଧରେ ଭାରତୀୟ ସୈନ୍ୟ ଦେଇଥିବା ବଳିଦାନକୁ ମନେ ପକାଇବାର ଦିନ । ଭାରତୀର ବୀର ଯବାନ ମାନେ ଯେତେବେଳେ ଅପରେସନ ବିଜୟ ଏବଂ ଅପରେସନ ସଫେଦ ସାଗର ଅଧୀନରେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଘଉଡାଇ ଦେଇ କାରଗିଲ ଶିଖରରେ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ । ସେହି ମୁହୁର୍ତ୍ତ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିଲା । ଆଜି ସେହି ବିଜୟ ଉତ୍ସବକୁ ବେଶ ଧୁମଧାମରେ ପାଳନ କରାଯାଉଛି ।ରାଷ୍ଟ୍ରପତି ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ ‘କାରଗିଲ ବିଜୟ ଦିବସ ଅବସରରେ ‘ମାତୃଭୂମି ପାଇଁ ନିଜ ଜୀବନ ଦେଇଥିବା ସାହାସୀ ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି’ । ଏହି ଦିନଟି ଆମ ବୀର ସୈନିକମାନଙ୍କର ଅସାଧାରଣ ବୀରତ୍ୱ, ସାହସ ଏବଂ ଦୃଢତାର ପ୍ରତୀକ । ଦେଶ ପାଇଁ ସେମାନଙ୍କର ସମର୍ପଣ ଏବଂ ସର୍ବୋଚ୍ଚ ବଳିଦାନ ସର୍ବଦା ଦେଶବାସୀଙ୍କୁ ପ୍ରେରଣା ଦେବ ।