
ସମ୍ବଲପୁର: ରାତିପାହିଲେ ପଶ୍ଚିମ ଓଡ଼ିଶାର ଆଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ହେବା ପରେ ସମସ୍ତେ ନୂଆଁ ଖାଇବେ । ଏହି ମୁହୂର୍ତ୍ତକୁ ଅପେକ୍ଷା କରିଛନ୍ତି ସାରା ପଶ୍ଚିମ ଓଡ଼ିଶାବାସୀ । ଏପଟେ, ଆରାଧ୍ୟ ଦେବୀ ମା’ସମଲେଶ୍ୱରୀଙ୍କ ପୀଠରେ ପ୍ରଥମ ନବାନ୍ନ ଲାଗି ହେବାକୁ ଥିବାରୁ ସେଠାରେ ବି ପ୍ରସ୍ତୁତି ଚୂଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ସମଲେଶ୍ୱରୀ ମନ୍ଦିରରେ ରଙ୍ଗକାମଠୁ ନେଇ ମରାମତି ଓ ଗହଣ ସଫେଇ ଜୋରସୋର୍ରେ ଚାଲିଛି । ସୁବ୍ୟବସ୍ଥିତ କରିବାକୁ ସମସ୍ତ ପୂଜା ପ୍ରସ୍ତୁତି ଚୂଡ଼ାନ୍ତ ହୋଇଥିବା ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ । ଗତ ୩ ଦିନ ମଧ୍ୟରେ ମନ୍ଦିର ମରାମତି କାମ ଜୋରସୋର୍ରେ ଚାଲିଛି । ମନ୍ଦିର ଭିତରେ ଫାଟିଥିବା ଟାଇଲ୍ ଓ ମାର୍ବଲ୍ କାମ ତିଆରି ସରିଛି । ମନ୍ଦିର ଭିତର ପାର୍ଶ୍ୱ ନୂଆଁ ରଙ୍ଗ କାମ ହୋଇଛି । ମା’ଙ୍କ ଅଳଙ୍କାର ସଫେଇ କରାଯାଇଛି । ପାର୍ଶ୍ୱ ଦେବଦେବୀଙ୍କ ସିନ୍ଦୂର ଲଗା ସରିଛି । ଭକ୍ତଙ୍କ ଦର୍ଶନ ପାଇଁ ସୁବ୍ୟବସ୍ଥା କରାଯାଇଛି । ନୂଆଁଖାଇର ପୂଜାର୍ଚ୍ଚନା ସକାଶେ ମଧ୍ୟ ପ୍ରସ୍ତୁତି ଚାଲିଛି । ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରେ ବି ବଲବସପୁରରୁ ଆସିଥିବା ନୂଆଁ ଧାନରୁ ନବାନ୍ନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଛି। ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ଗୁରୁବାର ସକାଳ ୧୦ଟା ୩୩ରୁ ୧୦ଟା ୫୫ମଧ୍ୟରେ ମା’ଙ୍କ ଠାରେ ନବାନ୍ନ ଲାଗିହେବ ।