
ନୂଆଦିଲ୍ଲୀ: ଭେଟରାନ ସିପିଏମ ନେତା ତଥା କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦ ଆଉ ନାହାନ୍ତି। ଦୀର୍ଘ ଦିନ ଧରି ହସ୍ପିଟାଲରେ ଚିକିତ୍ସିତ ହେବା ପରେ ଆଜି ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ଅଚ୍ୟୁତାନନ୍ଦଙ୍କୁ ୧୦୧ ବର୍ଷ ହୋଇଥିଲା।
ଜୁନ ୨୩ରେ ଅଚ୍ୟୁତାନନ୍ଦ ହୃଦଘାତର ଶିକାର ହୋଇଥିଲେ। ଏଥିପାଇଁ ତାଙ୍କୁ ଥିରୁଅନନ୍ତପୁରମ ସ୍ଥିତ ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଉକ୍ତ ହସ୍ପିଟାଲର ଆଇସିୟୁରେ ଭେଣ୍ଟିଲେଟର ମଧ୍ୟରେ ରହିଥିଲେ। ହେଲେ ଡାକ୍ତରଙ୍କ ସବୁ ପ୍ରକାରର ଚେଷ୍ଟା ସତ୍ତ୍ୱେ ଅଚ୍ୟୁତାନନ୍ଦ ଆଜି ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।ଅଚ୍ୟୁତାନନ୍ଦଙ୍କ ଦେହାନ୍ତ ଖବରରେ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଓ ସିପିଏମ ରାଜ୍ୟ ସମ୍ପାଦକ ଏମଭି ଗୋବିନ୍ଦନ ତୁରନ୍ତ ହସ୍ପିଟାଲରେ ପହଞ୍ଚିଥିଲେ। ସେମାନେ ସେଠାରେ ପରିବାର ଲୋକଙ୍କୁ ଦେଖା କରିବା ସହ ଅଚ୍ୟୁତାନନ୍ଦଙ୍କ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ କଥା ହୋଇଥିଲେ।
୨୦୧୯ରେ ଛୋଟ ଧରଣର ଷ୍ଟ୍ରୋକ ଯୋଗୁ ସେ ରାଜନୀତିରୁ ଦୂରେଇ ଯାଇଥିଲେ। ୨୦୨୧ରେ ଅଚ୍ୟୁତାନନ୍ଦ ପ୍ରଶାସନିକ ସଂସ୍କାର କମିଟିର ଅଧ୍ୟକ୍ଷ ପଦ ଛାଡ଼ି ଥିଲେ। ସେବେଠାରୁ ସେ ଥିରୁଅନନ୍ତପୁରମରେ ରହୁଥିବା ନିଜ ପୁଅ କିମ୍ବା ଝିଅଙ୍କ ପାଖରେ ସମୟ କାଟୁଥିଲେ।