
ବୌଦ୍ଧ: କୋଟିପତି ବୌଦ୍ଧ ଏମଭିଆଇ ଗୋଲାପ ଚନ୍ଦ୍ର ହାଁସଦା ଗିରଫ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପରିବହନ ବାବୁଙ୍କୁ ବାନ୍ଧିଲା ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଚଢ଼ାଉ ବେଳେ ତାଙ୍କଠାରୁ ୪୪ଟି ପ୍ଲଟ୍ , ୧ କେଜି ସୁନା, ୨ କିଲୋ ରୁପା, ନଗଦ ୨ ଲକ୍ଷ ୩୮ ହଜାର ଟଙ୍କା ସମେତ ୨୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା । ଝିଅର ମେଡିକାଲ ପାଠପଢ଼ାରେ ୪୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ବାବୁ । ରବିବାର ଭିଜିଲାନ୍ସ ଟିମ୍ ବାରିପଦା ପ୍ରଫୁଲ୍ଲନଗରସ୍ଥିତ ଆବାସିକ ବାସଭବନ, ବାଗଡ଼ିହସ୍ଥିତ ସମ୍ପର୍କୀୟଙ୍କ ଘର, ଖୁଣ୍ଟାସ୍ଥିତ ପୈତୃକ ଘର, ବୌଦ୍ଧ ଆଞ୍ଚଳିକ ପରିବହନ ବିଭାଗ କାର୍ୟ୍ୟାଳୟ ପ୍ରକୋଷ୍ଠ ଓ ଭଡ଼ା ଘର, ଭୁବନେଶ୍ୱରରେ ରହୁଥିବା ଝିଅଙ୍କ ଫ୍ଲାଟ ସମେତ ୬ ଜାଗାରେ ଚଢ଼ଉ କରିଥିଲା । ତାଙ୍କଠାରୁ ୪୪ଟି ପ୍ଲଟ୍ , ୧ କେଜି ସୁନା ସମେତ ୨୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି । ଶ୍ରୀ ହାଁସଦାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି ବାରିପଦା ପ୍ରଫୁଲ୍ଲନଗରରେ ଦୁଇ ମହଲା କୋଠା ଯାହା ୩୩୦୦ ବର୍ଗଫୁଟ୍ରେ ଠିଆ ହୋଇଛି । ବାରିପଦା ଟାଉନ୍ରେ ୪୩ଟି ଓ ବାଲେଶ୍ୱରରେ ୧ଟି ପ୍ଲଟ ରହିଛି । ଏଥିସହ ୧ କେଜି ସୁନା ଅଳଙ୍କାର (୨ଟି ସୁନା ବସ୍କୁଟ), ଦୁଇ କେଜିରୁ ଅଧିକ ରୁପା, ୧ କୋଟି ୩୪ ଲକ୍ଷ ଟଙ୍କାର ବ୍ୟାଙ୍କ୍, ପୋଷ୍ଟାଲ, ବୀମା ରାଶି ଜମା ରହିଛି । ଏଥିସହ ଗୋଟିଏ କାର୍, ୩ଟି ବାଇକ୍ ଏବଂ ୧୬ ଲକ୍ଷ ଟଙ୍କାର ମୂଲ୍ୟବାନ ଗୃହ ଉପକରଣ ଠାବ ହୋଇଛି । ସେ ଝିଅକୁ ମେଡିକାଲ୍ ପାଠ ପଢ଼ାଇବାକୁ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ହିସାବ ମିଳିଛି । ଶ୍ରୀ ହାଁସଦାଙ୍କ ପାଖରୁ ଏକ ଡାଏରି ମିଳିଛି । ଯେଉଁଥିରେ ବେନାମୀ କଳାଧନର ଚିଠା ଥିବା ଜଣାପଡିଛି । ଚଢ଼ଉରେ ୪ ଡିଏସ୍ପି, ୭ ଇନ୍ସପେକ୍ଟର ଏବଂ ଅନ୍ୟ ସହାୟକ କର୍ମଚାରୀମାନେ ସାମିଲ ଥିଲେ । ସୂଚନାଯୋଗ୍ୟ, ୨୦୨୪ ଫେବୃଆରୀରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ରଙ୍କୁ ଭିଜିଲାନ୍ସ ଗିରଫ କରିଥିଲା । ଏହାର ଦେଢ଼ବର୍ଷ ପରେ ଜଣେ ଏମ୍ଭିଆଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।