
ଅହମଦାବାଦ: ଗୁଜୁରାଟର ଅହମଦାବାଦ ବିମାନ ବନ୍ଦରରେ ଗୁରୁବାର ଘଟିଛି ଏକ ଭୟଙ୍କର ତଥା ହୃଦୟ ବିଦାରକ ବିମାନ ଦୁର୍ଘଟଣା। ଏୟାର ଇଣ୍ଡିଆର ଲଣ୍ଡନଗାମୀ ଏହି ଯାତ୍ରୀବାହୀ ବିମାନ ଅହମଦାବାଦ ବିମାନ ବନ୍ଦରରୁ ଉଡାଣ ଆରମ୍ଭ କରିବାର କିଛି ସେକେଣ୍ଡ ମଧ୍ୟରେ ନିକଟସ୍ଥ ସିଭିଲ ହସ୍ପିଟାଲ ହଷ୍ଟେଲ କୋଠାରେ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୪୧ ବିମାନ ଯାତ୍ରୀ ଓ କର୍ମଚାରୀଙ୍କ ସମେତ ମୋଟ ୨୬୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ସମୟରେ ହଷ୍ଟେଲ ଭିତରେ ମଧ୍ୟାହ୍ଣ ଭୋଜନ କରୁଥିବା ୨୪ଜଣ ଡାକ୍ତରୀ ଛାତ୍ରଙ୍କ ପ୍ରାଣ ହାନୀ ଘଟିଛି। ଉକ୍ତ ବିମାନରେ ୧୬୯ ଭାରତୀୟ, ୫୩ଜଣ ବ୍ରିଟିଶ ନାଗରିକ, ୭ଜଣ ପର୍ତ୍ତୁଗୀଜ୍ ଓ ଜଣେ କାନାଡ଼ା ନାଗରିକଙ୍କୁ ମିଶାଇ ୨୩୦ ଯାତ୍ରୀ ଓ ୧୨ଜଣ ବିମାନ କର୍ମଚାରୀ ଥିଲେ। କେବଳ ସୌଭାଗ୍ୟକ୍ରମେ ଭାରତ ଜନ୍ମିତ ବ୍ରିଟିଶ ନାଗରିକ ବିଶ୍ବାସ କୁମାର ରମେଶ ବର୍ତ୍ତି ଯାଇଥିବାବେଳେ ଅନ୍ୟମାନଙ୍କ ଅକାଳ ମୃତ୍ୟୁ ଘଟିଛି। ଏଥିରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିବା ସ୍ପଷ୍ଟ ହୋଇଛି। ଉଦ୍ଧାର କାର୍ୟ୍ୟ ଶେଷ ହେବା ପରେ ସିଭିଲ ହସ୍ପିଟାଲରେ ୨୬୫ଜଣଙ୍କ ଶବ ପହଞ୍ଚିଛି। ଦୁର୍ଘଟଣା ପରେ ବିମାନଟି ନିଅାଁ ଲାଗିଯାଇଥିବାରୁ ଶବ ଚିହ୍ନଟ କରିବା କଷ୍ଟକର ହୋଇପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଆକାଶକୁ ଉଠିବାର କିଛି ସମୟ ମଧ୍ୟରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ବିମାନଟି ଅହମ୍ମଦାବାଦ ସିିଭିଲ ହସ୍ପିଟାଲର ହଷ୍ଟେଲ ବିଲ୍ଡିଂ ସହ ଧକ୍କା ହୋଇଥିଲା। ବିମାନ ଖସିପଡିଥିବା ଅଞ୍ଚଳରେ ପାର୍କିଂ ହୋଇଥିବା ଏକାଧିକ ଦୁଇ ଚକିଆ ଓ ଚାରି ଚକିଆ ଯାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ୭ଟି ଦମକଳ ଦୀର୍ଘ ପାଞ୍ଚ ଘଣ୍ଟା ପରିଶ୍ରମ କରିବାପରେ ନିଆଁକୁ ଆୟତ୍ତ କରିଥିବା ଜଣାପଡିଛି। ବିମାନରେ ୧.୨୫ ଲକ୍ଷ ଲିଟର ଇନ୍ଧନ (ଆଭିଏସନ ଟର୍ବାଇନ ଫୁଏଲ)ମହଜୁଦ ଥିଲା। ଏହି ଇନ୍ଧନ ଅତ୍ୟନ୍ତ ଦହନଶୀଳ ହୋଇଥିବାରୁ ଦୁର୍ଘଟଣା ପରେ ବିମାନଟି ଏକ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଥିଲା। ଏହି ମର୍ମନ୍ତୁଦ ବିମାନ ଦୁର୍ଘଟଣା ପରିପ୍ରେକ୍ଷୀରେ ବ୍ରିଟେନ ରାଜା ଚାର୍ଲସ ତୃତୀୟ, ରାଣୀ କାମିଲା ଓ ପ୍ରଧାନମନ୍ତ୍ରୀ କୈର ଷ୍ଟାର୍ମର, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ, ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନକଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମେତଙ୍କ ସମେତ ବିଭିନ୍ନ ରାଷ୍ଟ୍ରର ରାଜନେତା ଗଭୀର ଦୁଃଖପ୍ରକାଶ କରିଛନ୍ତି।