
ସୋନପୁର: ଋଣ କରାଇଦେବାକୁ କହି ସୁବର୍ଣ୍ଣପୁର ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଅଭିଯୁକ୍ତ ହେଲେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ହେଲେ ବିପିନ ଦେହୁରୀ।
ସୂଚନା ଅନୁସାରେ ଜଣେ ହିତାଧିକାରୀ ପିଏମ୍ଇଜିପି (ପିଏମ୍ ଏମ୍ପ୍ଲଏମେଣ୍ଟ ଜେନେରେସନ ପ୍ରୋଗ୍ରାମ୍)ରୁ ଋଣ ପାଇଁ ଆବେଦନ କରିଥିଲେ। ଏଥି ପାଇଁ ଅନେକ ଥର ଜିଲ୍ଲା ଶିଳ୍ପ କେନ୍ଦ୍ରକୁ ଯାଇଥିଲେ। ତାଙ୍କୁ ଋଣ ସହଜରେ ନମିଳିବାରୁ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଶ୍ରୀ ଦେହୁରୀଙ୍କ ସହିତ ସଂପର୍କ କରିଥିଲେ। ଅପରପକ୍ଷେ ଶ୍ରୀ ଦେହୁରୀ ମଧ୍ୟ ହିତାଧିକାରୀଙ୍କୁ ଋଣ କରାଇଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ହିତାଧିକାରୀ ଜଣକ ଏନେଇ ଭିଜିଲାନ୍ସ ବିଭାଗରରେ ଅଭିଯୋଗ କରିଥିଲେ ଏବଂ ଶ୍ରୀ ଦେହୁରୀଙ୍କୁ ଜାଲରେ ପକାଇବା ପାଇଁ ଯୋଜନା ଆରମ୍ଭ ହୋଇଯାଇଥିଲା।
ପୂର୍ବ ଯୋଜନା ମୁତାବକ ହିତାଧିକାରୀ ଜଣକ ଅଧିକାରୀ ଶ୍ରୀ ଦେହୁରୀଙ୍କ ନିକଟରେ ପହଞ୍ଚି ୫ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଲାଞ୍ଚ ଦେବାର ଅଳ୍ପ ସମୟ ପରେ ସମ୍ବଲପୁର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଅତର୍କିତ ଭାବେ ଚଢ଼ାଉ କରିଥିଲେ। ଘଟଣାସ୍ଥଳରୁ ରଂଗବୋଳା ଯାଇଥିବା ୫୦୦୦ ଟଙ୍କା ଜବତ କରାଯାଇଥିଲା। ଭିଜିଲାନ୍ସର ଅତର୍କିତ ଚଢ଼ାଉ ଦେଖି ଶ୍ରୀ ଦେହୁରୀଙ୍କ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। ଚଢ଼ାଉ ପରେ ଅଧିକାରୀଙ୍କ ଲିଙ୍କ୍ ଥିବା ଏକାଧିକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ସନ୍ଧାନ କାର୍ୟ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଭିଜିଲାନ୍ସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ରୀ ଦେହୁରୀଙ୍କ ବିପକ୍ଷରେ ଅଧିକ ତଦନ୍ତ ଚାଲିଛି।