
ଭୁବନେଶ୍ୱର: ଏଫଏମ କଲେଜ ଛାତ୍ରୀ ସୌମ୍ୟାଙ୍କ ମୃତ୍ୟୁ ଘଟଣାରେ ଆସିଛି ବଡ଼ ଅପଡେଟ । ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ସାରା ରାଜ୍ୟ ଉଠୁଛି ପଡୁଛି। ବିରୋଧୀ ବିଜେଡି ଓ କଂଗ୍ରେସ ମଧ୍ୟ ସରକାରଙ୍କ ଉପରେ ଚାପ ପକାଉଛନ୍ତି। ତେବେ ଏନେଇ ଆଜି ସଂଧ୍ୟାରେ ଭୁବନେଶ୍ୱରର ଭାଜପା କାର୍ୟ୍ୟାଳୟରେ ଭାଜପାର ବଡ଼ ବୈଠକ ବସିଥିଲା। ଯେଉଁଥିରେ ସଭାପତି ମନମୋହନ ସାମଲଙ୍କ ସହ ଦୁଇ ଉପ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଉପସ୍ଥିତିରେ ବଡ଼ ବୈଠକ ବସିଥିଲା। ଏହି ସମୟରେ ଚର୍ଚ୍ଚା ହେଉଥିଲା କି କିଛି ବଡ଼ ଖବର ସାମ୍ନାକୁ ଆସିବ।
ଏହି କ୍ରମରେ ବୈଠକ ସରିବା ପରେ ବଡ଼ ବୟାନ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ବାଲେଶ୍ବର ଛାତ୍ରୀ ମୃତ୍ୟୁ ଘଟଣାରେ ସରକାର ସବୁ ଦିଗକୁ ନେଇ ତଥ୍ୟ ସଂଗ୍ରହ କରୁଛନ୍ତି । ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସମୟ ଦିଅନ୍ତୁ ଆହୁରି ତଥ୍ୟ ମିଳିବ । ଛାତ୍ରୀଙ୍କ ମୃତ୍ୟୁ ପରେ ଦଫା ପରିବର୍ତ୍ତନ କରାଯାଇଛି ।
ଘଟଣାର ସବୁ ଦିଗରୁ ନିଖୁଣ ତଦନ୍ତ ହେବ । ଦାୟୀ ଓ ଅବହେଳାକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ । ଆଇନ ତା’ ବାଟରେ ଯିବ, ଶେଷ ସୋପାନ ଯାଏ ପହଞ୍ଚିବ । ଛାତ୍ରୀଙ୍କ ମୃତ୍ୟୁ ହୋଇଥିବାରୁ ଦଫା ପରିବର୍ତ୍ତନ ହେବ । ପୀଡ଼ିତାଙ୍କ ପରିବାରର ଦାବି ଅନୁସାରେ ତଦନ୍ତ ହେବ । ଘଟଣାର ତଦନ୍ତ ପରିସର ବଢ଼ାଯିବ, ମୁଁ ତଥ୍ୟ ସଂଗ୍ରହ କରୁଛି । ଉଚ୍ଚଶିକ୍ଷା ଓ କ୍ରାଇମବ୍ରାଞ୍ଚର ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ । ସରକାରଙ୍କ ପାଖରେ ତଦନ୍ତର ବିକଳ୍ପ ଖୋଲା ଅଛି । ସମସ୍ତଙ୍କ ଉଦ୍ଦେଶ୍ୟ ଗୋଟିଏ-ପୀଡ଼ିତାଙ୍କୁ ନ୍ୟାୟ ମିଳୁ ବୋଲି ସେ କହିଛନ୍ତି।