
ଭୁବନେଶ୍ଵର :ଲୋକସେବା ଭବନ ରୁ ଆଭାସୀ ମାଧ୍ୟମରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ , କମିଶନର, ସିଡିଏମଓ ଙ୍କ ସହ ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗର ନିରାକରଣ ବାବଦରେ ସମୀକ୍ଷା କରିଥିଲେ । ସରକାର ଜନସ୍ୱାସ୍ଥ୍ୟ ସମସ୍ୟା, ମ୍ୟାଲେରିଆ ଏବଂ ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗ ଦୂରକରିବାରେ ପ୍ରତିବଦ୍ଧ ଏବଂ ଏଥିପାଇଁ ସମସ୍ତ ଅଧିକାରୀଙ୍କ ମିଳିତ ପ୍ରଚେଷ୍ଟାରେ ଏହାକୁ ଅଧିକ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ମ୍ୟାଲେରିଆ ଏବଂ ଡେଙ୍ଗୁ ସମସ୍ୟା ର ସମାଧାନ ପାଇଁ ସରକାର ଙ୍କ ତରଫରୁ ହେଉଥିବା ଔଷଧ ଯୁକ୍ତ ମଶାରୀ (LLIN) ବଣ୍ଟନ, କୀଟନାଶକ ସ୍ପ୍ରେ (IRS) ବ୍ୟବସ୍ଥା ବାବଦରେ ପଚାରି ବୁଝିଥିଲେ । ଅଧିକ ରୋଗୀ ଥିବା ମ୍ୟାଲେରିଆ ପ୍ରବଣ ଅଞ୍ଚଳ ଜିଲ୍ଲାପାଳଙ୍କୁ ସ୍ଵତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ । ପ୍ରାକ ବର୍ଷା ଋତୁ ପାଇଁ ପ୍ରସ୍ତୁତି ଏବଂ ବର୍ଷା ସମୟରେ ପଦକ୍ଷେପ ଗୁଡିକ ସୂଚାରୁ ରୂପେ ସମ୍ପାଦନ ନିମନ୍ତେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ମ୍ୟାଲେରିଆ ପାଇଁ ସକ୍ରିୟ ରୂପେ ସ୍କ୍ରିନିଙ୍ଗ ବ୍ୟବସ୍ଥା କୁ ଆବାସିକ ସ୍କୁଲ , ମ୍ୟାଲେରିଆ ପ୍ରବଣ ଅଞ୍ଚଳ , ପ୍ରବାସୀ ଶ୍ରମିକ ଙ୍କୁ ଅନ୍ତର୍ଭୁକ୍ତ କରିବା ସହ ଟେଷ୍ଟ ବଢାଇବାକୁ କହିଥିଲେ ।
ଆଗାମୀ କିଛି ଦିନ ମଧ୍ୟରେ କେନ୍ଦ୍ର ସରକାର ୧.୫୭ କୋଟି ଔଷଧ ଯୁକ୍ତ ମଶାରୀ ଯୋଗାଇବାକୁ ଯାଉଛନ୍ତି । ଏହାକୁ ଗ୍ରାଉଣ୍ଡ ଲେଭେଲରେ ଅଧିକାରୀ ମାନେ ତଦାରଖ କରି କିପରି ସୁବ୍ୟବହାର ହେବ ସେଥି ପ୍ରତି ଧ୍ୟାନ ଦେବାକୁ କହିଛନ୍ତି । ଜନ ସଚେତନତା ଦ୍ଵାରା ସ୍ଵୟଂ ସହାୟକ ଗୋଷ୍ଠୀ , ଯୁବ କ୍ଲବ , ଛାତ୍ର ଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନେବା ଉପରେ ଗୁରୁତ୍ଵ ଦେବାକୁ କହିଥିଲେ ।
ଡେଙ୍ଗୁ ରୋଗ ପ୍ଲାଟଲେଟ ମହଜୁଦ ରଖିବାକୁ ସୁନିଶ୍ଚିତ କରିବା ସହ ମ୍ୟାଲେରିଆ ଏବଂ ଡେଙ୍ଗୁ ନିରାକରଣ ଟିମ ଗୁଡିକ ସଠିକ ଭାବେ କାମ କରିବାକୁ ଉପଦେଶ ଦେଇଥିଲେ ।
ଏହି ବୈଠକରେ ଅନୁଗୁଳ , ଭଦ୍ରକ , ବାଲେଶ୍ଵର , ବୌଦ୍ଧ , କଟକ , ଗଞ୍ଜାମ , ଗଜପତି , ଜଗତସିଂପୁର, ଖୋର୍ଦ୍ଧା , ନୟାଗଡ , ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , କୋରାପୁଟ , ମାଲକାନଗିରି, ରାୟଗଡା, ମୟୂରଭଞ୍ଜ, ଏବଂ ସୁନ୍ଦରଗଡ ଜିଲ୍ଲା ର ଅଧିକାରୀ ମାନେ ଆଭାସୀ ମଧ୍ୟମରେ ଯୋଡି ହୋଇ ଥିଲେ ।