
ବ୍ରହ୍ମପୁର: ମରିଗଲା ମଣିଷ ପଣିଆ, ଭୁଲିଗଲେ ମାନବିକତା । ଗାଈମାନେ ବାଡିରୁ ସାମାନ୍ୟ ଗଛ ଖାଇଦେଲା ବୋଲି ସେମାନଙ୍କୁ ଏଭଳି ଦଣ୍ଡ ଦେଇଛନ୍ତି ଯେ, ସେମାନେ ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ଗାଈଗୋରୁ ଜନ୍ତୁ, ବାଡିରୁ ଗଛ ଖାଇଦେବାରୁ ସେମାନଙ୍କ ଉପରେ ଏସିଡି ମାଡ଼ କରାଯାଇଛି । ଯାହାକି ଏହାକୁ ନେଇ ଥାନାରେ ଅଭିଯୋଗ କରାଯିବା ପରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଏଭଳି ଆମାନୁଷିକ କାଣ୍ଡ ଦେଖିବାକୁ ମିଳିଛି ବ୍ରହ୍ମପୁର ସହରରେ ।
ବ୍ରହ୍ମପୁର ସହରର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ନିକଟବର୍ତ୍ତୀ ମାରୁତି ବିହାର ତୃତୀୟ ଲାଇନରେ ରହୁଥିବା ଏମ୍. ରାମକ୍ରିଷ୍ଣା ରାଓ ଗୋପାଳନ କରନ୍ତି । ବର୍ତ୍ତମାନ ସେ ୭ରୁ ୮ଟି ଗାଈ ବାଛୁରୀ ରଖିଛନ୍ତି । ଗତ ରବିବାର ଦିନ ଗୋଟିଏ ଗାଈର ଶରୀରରେ କ୍ଷତ ହୋଇଥିବା ଦେଖିବାକୁ ପାଇଥିଲେ । ପରେ ଗାଈର ଚିକିତ୍ସା କରିଥିଲେ । ହେଲେ ଏହାର ଗୋଟିଏ ଦିନ ପରେ ଆଉ ଏକ ଗାଈର ଶରୀରରେ କିଛି ଆଘାତ ହୋଇଥିବା ଦେଖିଥିଲେ । ଏହିପରି ୪ଟି ଗାଈଙ୍କ ଉପରକୁ ଏସିଡ ମାଡ ହୋଇଥିବା ଦେଖିବାକୁ ପାଇଥିଲେ । ଏନେଇ ଏମ୍. ରାମକ୍ରିଷ୍ଣା ରାଓ ଗୁରୁବାର ସ୍ଥାନୀୟ ଟାଉନ ଥାନରେ ଲିଖିତ ଅଭିଯୋଗ କରିଥିଲେ । ଘଟଣା ଘଟିଥିବା ସ୍ଥାନରେ ପୋଡଶୀ ତଥା ସାହି ବାସିନ୍ଦା ହିଁ ଏପରି କରିଥିବା ନେଇ ଏତଲା ଦିଆଯାଇଛି ।
ଏନେଇ ଅଭିଯୋଗ ହେବା ପରେ ବ୍ରହ୍ମପୁର ଟାଉନ ଥାନା ପୋଲିସ ପକ୍ଷରୁ ମାମଲା ରୁଜୁ ହୋଇଛି । ଅଭିଯୋଗକାରୀ ଏମ୍. ରାମକ୍ରିଷ୍ଣା ରାଓଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ ଆରମ୍ଭ କରାଯାଇଛି । ପୋଲିସ ପକ୍ଷରୁ କିଭଳି ଏବଂ କେଉଁ ପରିସ୍ଥିତିରେ ଏହି ଘଟଣା ଘଟିଥିଲା ତାହାର ଅନୁଧ୍ୟାନ କରାଯାଇଛି । ସେପଟେ ପୋଲିସ ପକ୍ଷରୁ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି ।