
ଅଗଷ୍ଟ ୩୧ ତାରିଖରେ ହେବ ସ୍ପେଶାଲ୍ OTET। ଏନେଇ ଆଜି ମାଧ୍ୟମିକ ଶିକ୍ଷା ପରିଷଦ (BSE) ପକ୍ଷରୁ ସୂଚନା ଦିଆଯାଇଛି। ଦୁଇଟି ସିଟିଂରେ ହେବ ସ୍ପେଶାଲ୍ OTET। ସକାଳ ୯ଟାରୁ ୧୧.୩୦ ଯାଏ ପେପର୍-୧ ପରୀକ୍ଷା ହେବ। ଦିନ ୨ଟାରୁ ସାଢେ ୪ଟା ଯାଏ ପେପର୍-୨ ପରୀକ୍ଷା ହେବ।
ଏହି ପରୀକ୍ଷା ପାଇଁ ଅଗଷ୍ଟ ୨୨ରୁ ୱେବ୍ସାଇଟ୍ରେ ଉପଲବ୍ଧ ହେବ ଆଡ୍ମିଟ୍ କାର୍ଡ। ପ୍ରଶ୍ନପତ୍ର ଲିକ୍ ଯୋଗୁଁ ପୂର୍ବ ପରୀକ୍ଷା ବାତିଲ୍ ହୋଇଥିଲା। OTET ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏଯାବତ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ବୋର୍ଡ ଉପସଭାପତିଙ୍କ ଅଫିସର ଜଣେ ଡାଟା ଏଣ୍ଟ୍ରୀ ଅପରେଟର ରହିଥିବା ବେଳେ ୨ ଜଣ ଶିକ୍ଷକ ନେତା ବି ଅଛନ୍ତି। ଆଜି ଏକ ପ୍ରେସମିଟରେ କ୍ରାଇମବ୍ରାଞ୍ଚ DIG ବି. ଗଙ୍ଗାଧର କହିଛନ୍ତି, କାହିଁକି ପ୍ରଶ୍ନପତ୍ର ଲିକ୍ ହେଲା, ତା’ର ତଦନ୍ତ ଚାଲିଛି। ବୋର୍ଡ ଅଫିସ୍ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ୭ ଜଣ ଗିରଫ ହେବା ପରେ ଆଉ କିଏ ରହିଛନ୍ତି ସେନେଇ ତଦନ୍ତ ଜାରି ରହିଛି। ଲାପଟପ୍ ପାସଓ୍ୱାର୍ଡ କେମିତି ମିଳିଲା ତଦନ୍ତ ଚାଲିଛି। କାହା କାହା ପାଖକୁ ପ୍ରଶ୍ନପତ୍ର ଯାଇଛି, ତା’ର ଲିଙ୍କ୍ ଖୋଜା ଚାଲିଛି। ସମସ୍ତଙ୍କୁ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।