
ଭୁବନେଶ୍ୱର: ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ସସପେଣ୍ଡ କରାଯାଇଛି । ତେବେ ତାଙ୍କୁ ଦଳରୁ ସସପେଣ୍ଡ କରାଯିବା ପ୍ରସଙ୍ଗରେ ରବିବାର ଭୁବନେଶ୍ୱର ବିଜେଡି ଜିଲ୍ଲା ସଭାପତି ଅଶୋକ ଚନ୍ଦ୍ର ପଣ୍ଡା ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଘଟଣାକୁ ନେଇ ଜିଲ୍ଲା ସଭାପତିଭାବେ ମୁଁ ଦଳୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲି । ତେଣୁ ଗିରଫ ହେବା ମାତ୍ରେ ଦଳ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମହିଳାଙ୍କ ସୁରକ୍ଷାକୁ ବିଜେଡି ସର୍ବଦା ଗୁରୁତ୍ୱ ଦେଇ ଆସିଛି । ଅମରେଶ ଜେନାଙ୍କ ନିଲମ୍ବନ ଦଳ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ।
ପ୍ରକାଶ ଯେ ଗିରଫ ପରେ ଫେରାର କର୍ପୋରେଟର ଅମରେଶ ଜେନା ଦଳରୁ ନିଲମ୍ବିତ ହୋଇଛନ୍ତି। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ତାଙ୍କୁ ନିଲମ୍ବିତ କରାଯାଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି।ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଫେରାର ଥିବା ବିଜେଡି କର୍ପୋରେଟର ଅମରେଶ ଜେନା ରବିବାର ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରୁ ଗିରଫ ହୋଇଛନ୍ତି। ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିବା ଏବଂ ଦୁଷ୍କର୍ମ କରିଥିବା ଅଭିଯୋଗରେ କମିଶନରେଟ ପୁଲିସ ୫ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ମୁଖ୍ୟ ଅଭିଯୁକ୍ତ କର୍ପୋରେଟର ଅମରେଶ ଜେନା ଫେରାର ଥିଲେ। ସେ ରାଜ୍ୟ ବାହାରକୁ ଫେରାର ହୋଇଯାଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା। ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଥାନା ପୁଲିସ ଏନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା। ଆଜି ପୂର୍ବାହ୍ନ ୧୧ଟା ସମୟରେ ନୀଳଗିରି ବ୍ଲକ ବରହମପୁର ଥାନା ଅଧୀନ କଳାକାଦ ଗାଁରୁ ସମ୍ପୃକ୍ତ କର୍ପୋରେଟରଙ୍କୁ ଗିରଫ କରାଯାଇଛି। କମିଶନରେଟ ପୁଲିସଙ୍କ ସମେତ ବରହମପୁର ଥାନା ଆଇଆଇସି ପ୍ରେମଦା ନାୟକ ସାଦା ପୋଷାକରେ ଆସି କଳାକାଦ ଗାଁର ନିରୋଦ ମହାନ୍ତିଙ୍କ ଘରୁ ଫେରାର କର୍ପୋରେଟରଙ୍କୁ ବାନ୍ଧିଛନ୍ତି। ଅଧିକ ତଦନ୍ତ ତଥା ଜେରା ପାଇଁ ତାଙ୍କୁ ବରହମପୁର ଥାନାକୁ ନିଆଯାଇଛି।