
ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲାରେ ରାଜ୍ୟ କ୍ରାଇମବ୍ରାଂଚ ୬ଜଣଙ୍କୁ ଗିରଫ କରିଛି । ଚଳିତମାସ ୨୦ତାରିଖରେ ଏହି ପରୀକ୍ଷା ହେବାର ଥିଲା କିନ୍ତୁ ୧୯ତାରିଖରେ ପ୍ରଶ୍ନପତ୍ର ଭାଇରାଲ ହେବାପରେ ରାଜ୍ୟ ସରକାର ଏହି ପରୀକ୍ଷାକୁ ଦିନକ ପୂର୍ବରୁ ବାତିଲ କରିଦେଇଥିଲେ । ଏହି ପ୍ରଶ୍ନପତ୍ର ଲିକ୍ ମାମଲାରେ ୨ଜଣ ଶିକ୍ଷକ ନେତାଙ୍କ ସମେତ କଟକସ୍ଥିତ ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତିଙ୍କ କାର୍ୟ୍ୟାଳୟର ଡାଟା ଏଂଟ୍ରି ଅପରେଟରଙ୍କୁ କ୍ରାଇମବ୍ରାଂଚ ଗିରଫ କରିଛି ।
କଟକ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ(ବିଏସଇ)ର ଏଷ୍ଟାବ୍ଲିସମେଂଟ ଅଫିସର ବୁଲବୁଲ ବେହେରାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଂଚ ତଦନ୍ତ କରିଥିଲା । ସ୍ପେଶାଲ ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବାନେଇ ପ୍ରଥମେ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଉପସଭାପତି ୧୯ତାରିଖ ରାତି ୧୦ଟା ୪୫ମିନିଟରେ ଦେଖିବା ପରେ ଏହି ପରୀକ୍ଷାକୁ ସ୍ଥଗିତ ରଖିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । କ୍ରାଇମବ୍ରାଂଚ ତଦନ୍ତ ପରେ ଏହି ୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇଛି ।