
ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେବ ‘ଓଡ଼ିଶା ଟେକ୍ସ ୨୦୨୫’ । ଶୁକ୍ରବାର ଲୋକସେବା ଭବନର କନ୍ଭେନସନ ହଲରେ ପୂର୍ବ ଭାରତରେ ବୟନଶିଳ୍ପର ବଡ଼ କାର୍ୟ୍ୟକ୍ରମ ଆରମ୍ଭ ହେବ । ଏଥିରେ ବହୁ ସଂଖ୍ୟାରେ ନିବେଶକ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ଟେକ୍ସ ୨୦୨୫’କୁ ଉଦ୍ଘାଟନ କରିବେ । ୬ଟି ବୟନଶିଳ୍ପ ଓ ପୋଷାକ ପରିଧାନ ପାର୍କର ଶୁଭାରମ୍ଭ ସହ ବୟନଶିଳ୍ପ କ୍ଷେତ୍ରରେ ନିବେଶକ-ରାଜ୍ୟ ସରକାରଙ୍କ ମଧ୍ୟରେ ହେବ ଏମ୍ଓୟୁ । ଏହି ମେଗା ଇଭେଣ୍ଟ ରାଜ୍ୟରେ ନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ବୟନଶିଳ୍ପ କ୍ଷେତ୍ରରେ ଓଡ଼ିଶା ଏବେ ଦେଶର ଏକ ପ୍ରମୁଖ ପସନ୍ଦର ସ୍ଥାନ ପାଲଟିଛି । ବୟନଶିଳ୍ପକୁ ଆଗକୁ ନେବା ଓ ନିବେଶ ବୃଦ୍ଧି ପାଇଁ ସରକାର ‘ଓଡ଼ିଶା ଟେକ୍ସ ୨୦୨୫’ର ଆୟୋଜନ କରୁଛନ୍ତି । ଏଥିରେ ସାମିଲ ହେବାକୁ ୬ ଶହରୁ ଅଧିକ ଶିଳ୍ପପତି, ଷ୍ଟାର୍ଟଅପ୍, କଂପାନି, ପୋଷାକ ଉତ୍ପାଦକ ସଂସ୍ଥା ପଞ୍ଜିକରଣ କରିଛନ୍ତି । ବୟନଶିଳ୍ପ କ୍ଷେତ୍ରରେ ରାଜ୍ୟରେ ଥିବା ସମ୍ଭାବନା ଓ ରାଜ୍ୟ ସରକାରଙ୍କ ସହଯୋଗ ସଂପର୍କରେ ନିବେଶକମାନେ ଏଠାରେ ସଂପୂର୍ଣ୍ଣ ଅବଗତ ହେବେ । କାର୍ୟ୍ୟକ୍ରମରେ ବହୁ ଶିଳ୍ପପତି ବୟନଶିଳ୍ପରେ ନିବେଶ ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିବାର କାର୍ୟ୍ୟକ୍ରମ ରହିଛି । ବଲାଙ୍ଗୀର, ଜଗତସିଂହପୁର ଓ କେନ୍ଦୁଝରରେ ୩ଟି ବୟନଶିଳ୍ପ ପାର୍କ ସହ ଗଞ୍ଜାମ, ସମ୍ବଲପୁରରେ ପୋଷାକ ପରିଧାନ ଏବଂ କଟକରେ ଜୋତା/ ଚପଲ ପାର୍କର ଶୁଭାରମ୍ଭ ହେବ । କାର୍ୟ୍ୟକ୍ରମର ପ୍ରସ୍ତୁତି ନେଇ ଗୁରୁବାର ଶିଳ୍ପମନ୍ତ୍ରୀ ସଂପଦ ଚନ୍ଦ୍ର ସ୍ୱାଇଁ ସମୀକ୍ଷା କରି କହିଛନ୍ତି, ‘ଓଡ଼ିଶା ଟେକ୍ସ ୨୦୨୫’ ଆନ୍ତର୍ଜାତୀୟ ଓ ଜାତୀୟସ୍ତରର ବୟନଶିଳ୍ପର ପରିଚିତ ନିବେଶକମାନଙ୍କୁ ଗୋଟିଏ ଛାତ ତଳେ ଏକାଠି କରିବ ।ବୟନଶିଳ୍ପ ପାଇଁ ଓଡ଼ିଶାରେ ଅଛି ଢେର ସମ୍ଭାବନା । ଏ କ୍ଷେତ୍ରରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ମହିଳା ମାନଙ୍କ ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ । ଏଥିରେ ଦକ୍ଷ ମାନବସମ୍ବଳ ରାଜ୍ୟ ଭିତରେ କାମଧନ୍ଦା ପାଇପାରିବେ । ୨୦୨୩୦ ସୁଦ୍ଧା ଓଡ଼ିଶାକୁ ଦେଶର ‘ବୟନଶିଳ୍ପ ରାଜଧାନୀ’ କରିବାକୁ ରାଜ୍ୟ ସରକାର ଏ ମେଗା କାର୍ୟ୍ୟକ୍ରମ ଆୟୋଜନ କରିଛନ୍ତି ।