
ନୂଆଦିଲ୍ଲୀ: ଭାରତୀୟ ନାଗରିକ ବିନା ଭିସାରେ ୫୯ଟି ଦେଶକୁ ଯାଇପାରିବେ। ମଙ୍ଗଳବାର ପ୍ରକାଶିତ ପାର୍ସପୋର୍ଟ ଇଣ୍ଡେକ୍ସରେ ଏ ନେଇ ସୂଚନା ଦିଆଯାଇଛି। ବିଶ୍ୱ ପାସପୋର୍ଟ ରାଙ୍କିଙ୍ଗ୍ରେ ଭାରତ ୭୭ତମ ସ୍ଥାନରେ ରହିଛି। ବିଶ୍ବର ବିଭିନ୍ନ ଦେଶର ପାସପୋର୍ଟର ଭିସା- ଫ୍ରି ଯାତ୍ରା ସଂଖ୍ୟାକୁ ଆଧାର କରି ଏହି ରାଙ୍କିଙ୍ଗ୍ ଜାରି କରାଯାଇଛି। ଗତବର୍ଷ ଭାରତ ୮୫ତମ ସ୍ଥାନରେ ରହିଥିଲା। ଅନ୍ୟପଟେ ପାକିସ୍ତାନ ଏହି ରାଙ୍କିଙ୍ଗ୍ରେ ୯୬ତମ ସ୍ଥାନରେ ରହିଛି। ଫଳରେ ଭାରତ ୮ ସ୍ଥାନ ଉପରକୁ ଉଠିଛି ଓ ରାଙ୍କିଙ୍ଗ୍ରେ ସୁଧାର ଆସିଛି। କିନ୍ତୁ ଭିସାମୁକ୍ତ ଯାତ୍ରା ସଂଖ୍ୟାରେ ଅବନତୀ ହୋଇଛି। ୨୦୨୪ରେ ଭାରତୀୟ ପାସପୋର୍ଟ ଧାରକ ୬୨ ଦେଶକୁ ବିନା ଭିଜାରେ ଯାତ୍ରା କରୁଥିଲେ ଓ ଏବେ ଏହା ୫୯କୁ କମିଛି। ଏହି ମାନ୍ୟତାରେ ସିଙ୍ଗାପୁର ଶୀର୍ଷରେ ରହିଛି। ସିଙ୍ଗାପୁର ପାସପୋର୍ଟଧାରୀ ନାଗରିକ ୧୯୩ଟି ଦେଶକୁ ବିନା ଭିସାରେ ଯାତ୍ରା କରିପାରିବେ। ସେହିପରି ୧୯୦ଟି ଦେଶକୁ ବିନା ଭିସାରେ ଯାତ୍ରା କରିବାକୁ ଅନୁମତି ପାଇଥିବା ଜାପାନ ଓ ଦକ୍ଷିଣ କୋରିଆ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଡେନମାର୍କ, ଫିନଲାଣ୍ଡ, ଫ୍ରାନ୍ସ, ଜର୍ମାନୀ, ଆୟର୍ଲାଣ୍ଡ, ଇଟାଲୀ ଓ ସ୍ପେନ ମିଳିତ ଭାବେ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ଦେଶଗୁଡିକ ନାଗରିକମାନେ ବିନା ଭିସାରେ ୧୮୯ ଦେଶକୁ ଯାଇପାରିବେ। ବିନା ଭିସାରେ ଭାରତୀୟ ନାଗରିକ ୧୯ ଆଫ୍ରିକୀୟ ଦେଶ, ୧୦ ଏସୀୟ ଦେଶ, ୧୦ ଉତ୍ତରଆମେରିକା ଦେଶ, ୧୦ ଓସମାନିଆ ଦେଶ ଓ ଗୋଟିଏ ଦକ୍ଷିଣ ଆମେରିକା ଦେଶକୁ ଯାତ୍ରା କରିପାରିବେ।