
କେନ୍ଦୁଝର : ସାଙ୍ଗକୁ ହତ୍ୟା କଲା ସାଙ୍ଗ। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ୬ ନଂ ୱାର୍ଡର ପାଚୁହାଟିଂରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସାଙ୍ଗ ଭାଗବତି ବେଶ୍ରାଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ହତ୍ୟା କରିଛି ଅଭିଯୁକ୍ତ ଦୁର୍ଗା ନାୟକ। ଆଉ ସାଙ୍ଗକୁ ହତ୍ୟାପରେ ଅଭିଯୁକ୍ତ ଦୁର୍ଗା ନାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଦୁର୍ଗା ନାୟକ ପତ୍ନୀ ହତ୍ୟା ମାମଲାରେ ସେ ଜେଲ୍ରେ ଥିଲେ। ଜେଲ୍ରୁ ମୁକୁଳିବା ପରେ ସେ ତାଙ୍କର ଦୁଇ ବନ୍ଧୁ ଭାଗବତି ଓ ଦଶରଥଙ୍କ ସହ ରହୁଥିଲେ। ଗତକାଲି ରାତିରେ କୌଣସି କାରଣକୁ ନେଇ ୩ ସାଙ୍ଗଙ୍କ ମଧ୍ୟରେ ବଚସା ହେଲା। ଏଥିରେ ଉତ୍ତ୍ୟକ୍ତ ଦୁର୍ଗା ଭାଗବତିଙ୍କ ମୁଣ୍ଡ ଛେଚି ହତ୍ୟା କରିଛନ୍ତି। ଏଥି ସହିତ ଅନ୍ୟଜଣେ ସାଙ୍ଗ ଦଶରଥକୁ ମଧ୍ୟ ଆକ୍ରମଣ କରି ମୁଣ୍ଡ ଫଟାଇବା ସହ ଦାନ୍ତ ଭାଙ୍ଗିଦେଇଛି ଅଭିଯୁକ୍ତ ଦୁର୍ଗା ନାୟକ। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ଦୁର୍ଗା ଫେରାର ହୋଇ ଯାଇଛି।