
ଭୁବନେଶ୍ୱର: ପୁଣି ଭିଜିଲାନ୍ସ ଜାଲରେ ଜଣେ ବଡ଼ ସରକାରୀ ବାବୁ । କେନ୍ଦୁଝର ଭୂଅର୍ଜନ ଉପବିଭାଗର ଡେପୁଟି କଲେକ୍ଟର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଲାଞ୍ଚ ନେବା ବେଳେ ଡେପୁଟି କଲେକ୍ଟର ଶରତ ଗିରିଙ୍କୁ ଭିଜିଲାନ୍ସ ଟିମ ଧରିଥିବା ଜଣାଯାଇଛି । ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ ତାଙ୍କୁ ମାଡ଼ିବସିଥିଲା ।
ସୂଚନା ମୁତାବକ, କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ବନାଯୋଡି ଦେଇ ଯାଇଥିବା ୬ ଥାକିଆ ରାସ୍ତା ବା ୬ ଲେନ ରାସ୍ତା ପାଇଁ ଚିତ୍ରସେନ ବ୍ରହ୍ମଙ୍କର ଦେଢ଼ ଏକର ଜମି ପାଇଁ ସେ ୬ ଲକ୍ଷ ୯୬ ହଜାର ଟଙ୍କା କ୍ଷତି ପୂରଣ ପାଇବାର ଥିଲା । ହେଲେ ଏହି ଟଙ୍କା ଦେବାକୁ ଶରତ ଗିରି ୧୦ ପ୍ରତିଶତ ହିସାବରେ ୭୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଚିତ୍ରସେନ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଯୋଜନା ଅନୁସାରେ ଆଜି ପୂର୍ବାହ୍ନ ୧୦ଟା ବେଳେ ଜମିଜମା କ୍ଷତିପୂରଣ ପାଇଁ ନିଜ କାର୍ୟ୍ୟାଳୟରେ ୫୦ ହଜାର ଲାଞ୍ଚ ନେବାବେଳେ ଭିଜିଲାନ୍ସ ମାଡ଼ିବସିଛି।