
ଭୁବନେଶ୍ୱର: ଗ୍ରାମାଞ୍ଚଳର ଶିକ୍ଷା ଭିତ୍ତିଭୂମିକୁ ଶକ୍ତିଶାଳୀ କରିବା ଉଦ୍ଦେଶରେ ରାଜ୍ୟ ସରକାର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଆରମ୍ଭ କରିଛନ୍ତି। ଏହି ଯୋଜନା ଅଧୀନରେ ସରକାର ରାଜ୍ୟବ୍ୟାପି ୫୦୦ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଆଗାମୀ ସପ୍ତାହରେ ଭିତ୍ତିପ୍ରସ୍ତର ସ୍ଥାପନ କରିବାକୁ ଯାଉଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରର ପ୍ରଥମ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତା ୧୨ ତାରିଖ ଦିନ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ ଅଧୀନରେ ୫୦୦ ବିଦ୍ୟାଳୟ ପାଇଁ ଶିଳାନ୍ୟାସ କରିବେ। ଏହି ଯୋଜନା ଅଧୀନରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।