
ଭୁବନେଶ୍ୱର:ଚୋରି ହୋଇଛି ହାଇପ୍ରୋଫାଇଲ୍ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ। ନୟାପଲ୍ଲୀ ଓଜଉ ଭିଲେଜ୍ ଭଳି ହାଇସିକ୍ୟୁରିଟି ଜୋନରେ ଥିବା ତାଙ୍କ ଘରୁ ହୋଇଛି ଚୋରି। ଚୋର ୫୦ ଲକ୍ଷ ଟଙ୍କାର ସୁନାଗହଣା ନେଇଯାଇଛି। ତା’ ସହିତ ନଗଦ ଅଢ଼େଇ ଲକ୍ଷ ଟଙ୍କା ମଧ୍ୟ ନେଇଯାଇଛି। ନିରଞ୍ଜନ ତାଙ୍କ ପରିବାର ସହିତ ଏହି ଘରେ ରହନ୍ତି। ତାଙ୍କ ପୁଅ ଦିବ୍ୟଜ୍ୟୋତି ପଟ୍ଟନାୟକ ଓ ବୋହୂ ଘରେ ନଥିଲେ। ସେମାନେ ସାତପଡ଼ା ଯାଇଥିଲେ। ନିରଞ୍ଜନ ପଟ୍ଟନାୟକ ଘରର ତଳ ମହଲାରେ ତାଙ୍କ ରୁମ୍ରେ ଶୋଇଥିଲେ। ଘର ବାହାରେ ସୁରକ୍ଷାକର୍ମୀ ଥିଲେ। ରାତି ୨ଟା ୪୦ ମିନିଟ୍ରେ ଚୋର ତାଙ୍କ ଘରେ ପଶିଥିଲା। ସିସିଟିଭିରୁ ଏହା ଜଣାପଡ଼ିଛି। ଚୋର ତା’ ମୁହଁକୁ ଘୋଡ଼ାଇ ଦେଇଥିଲା। ତା’ ହାତରେ ଟର୍ଚ୍ଚ ଥିଲା। ହାତରେ ଗ୍ଲୋବ୍ସ ପିନ୍ଧିଥିଲା। ସେ ବେଶ୍ ସନ୍ତର୍ପଣରେ ଘର ଭିତରେ ପଶି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ଦିବ୍ୟଜ୍ୟୋତିଙ୍କ ବେଡ୍ରୁମ୍ରେ ପଶିଥିଲା। ସେଠାରେ ପହଞ୍ଚି ଆଲମାରୀଗୁଡ଼ିକୁ ଖୋଲି ଦେଖିଥିଲା ଓ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ଖୋଜାଖୋଜି କରିଥିଲା। ପ୍ରାୟ ଘଣ୍ଟାଏ ଧରି ସେ ଘର ଭିତରେ ରହିଥିଲା ବୋଲି କୁହାଯାଉଛି। ସୁନାଗହଣା ଓ ନଗଦ ଟଙ୍କା ନେଇ ରାତି ପ୍ରାୟ ୩ଟା ବେଳକୁ ସେ ସେଠାରୁ ଫେରାର ହୋଇଯାଇଥିଲା। ଇମର୍ଜେନ୍ସୀ ଏକ୍ଜିଟ୍ ପାଇଁ ଉଦ୍ଦିଷ୍ଟ ଏକ ସରୁ ବାଟ ଦେଇ ସେ ପଶିଥିଲା ଓ ସେହି ବାଟ ଦେଇ ଫେରାର ହୋଇଯାଇଥିଲା ବୋଲି ଜଣାପଡ଼ିଛି।