ବାରବାଟୀ ଷ୍ଟାଡିଅମ ଅଗ୍ନି ନିରାପତ୍ତା ମାମଲା, ଶୁଣାଣିର ଅନ୍ତ ଘଟାଇଲେ ହାଇକୋର୍ଟ

କଟକ: ବାରବାଟୀ ଷ୍ଟାଡିଅମରେ ଅଗ୍ନି ନିରାପତ୍ତା ସମ୍ପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି ଶେଷ । ଏହି ମାମଲାର ଅନ୍ତ ଘଟାଇଛନ୍ତି ଓଡି଼ଶା ହାଇକୋର୍ଟ । ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷିତ ମ୍ୟାଚ୍ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଥିବା ନେଇ ପକ୍ଷ ରଖାଯାଇଥିଲା । ମ୍ୟାଚ ପୂର୍ବରୁ ସମ୍ପୂର୍ଣ ଷ୍ଟାଡିଅମରେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିଥିଲେ। ମ୍ୟାଚ ସମୟରେ ଯେପରି କୌଣସି ଧନଜୀବନ ହାନୀ ନହୁଏ ସେନେଇ ସରକାରୀ ଓକିଲ ପ୍ରତିଶ୍ରୁତି ଦେଲା ପରେ ହାଇକୋର୍ଟ ମାମଲାର ଶୁଣାଣି କରି ଅନ୍ତ ଘଟାଇଛନ୍ତି।

ସୂଚନା ଅନୁଯାୟୀ, ଗତ ଅକ୍ଟୋବର ପହିଲା ଶୁଦ୍ଧା ବାରବାଟୀ ଷ୍ଟାଡିଅମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ନେଇ ସୂଚନା ଅଧିକାର ଆଇନରେ ତଥ୍ୟ ହାସଲ ହୋଇଥିଲା। ଏହି ତଥ୍ୟ ଆଧାରରେ କଟକର ଜଣେ ସ୍ବେଚ୍ଛାସେବୀ ତୋଫାନ ଦାସ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର କରିଥିଲେ। ପ୍ରାୟ ୫୦ ହଜାର ଦର୍ଶକ ଏକାଠି ହେଉଥିବାରୁ ଦୁର୍ଘଟଣା ଏଡାଇବା ପାଇଁ ଆବଶ୍ୟକୀୟ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବାକୁ ସେ ଆବେଦନରେ ଉଲ୍ଲେଖ କରିଥିଲେ।ବାରବାଟୀ ଷ୍ଟାଡିୟମ ରାଜ୍ୟର ସର୍ବବୃହତ୍ ଷ୍ଟାଡିୟମ। ମାତ୍ର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପାଇଁ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନକୁ ବାରମ୍ବାର ଚିଠି କରାଯାଇଥିଲେ ମଧ୍ୟ ଏ ବାବଦରେ ଓସିଏ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଥିଲା । ଏଭଳି ସ୍ଥିତିରେ ଧନଜୀବନର ସୁରକ୍ଷା ଦୃଷ୍ଟିରୁ ସାମାଜିକ କର୍ମୀ ତୋଫାନ ଦାସ ବାରବାଟୀ ଅଗ୍ନି ନିରାପତ୍ତା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନକାରୀ ଆବେଦନରେ ଦର୍ଶାଇଥିଲେ, “ଷ୍ଟାଡିଅମ ପରିସରରେ ବିବାହ ମଣ୍ଡପଠାରୁ ଆରମ୍ଭ କରି ସ୍କୁଲ ଓ ସରକାରୀ ଅନୁଷ୍ଠାନ ସମେତ ବିଭିନ୍ନ କ୍ରୀଡ଼ା ସଂଗଠନ କାର୍ୟ୍ୟାଳୟ ଚାଲିଛି । ହେଲେ ଅଗ୍ନିକାଣ୍ଡ ଜନିତ ଦୁର୍ଘଟଣା ରୋକିବା ଲାଗି ଏଠାରେ ଆବଶ୍ୟକ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନାହିଁ। ଦୀର୍ଘ ୨୪ ବର୍ଷ ହେଲା ରାଜ୍ୟର ବୃହତ୍ ଷ୍ଟାଡିଅମରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟ କହୁଛି। ବିନା ଅଗ୍ନି ନିରାପତ୍ତା ପ୍ରମାଣପତ୍ରରେ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ସମେତ ଅନ୍ୟାନ୍ୟ ସାଂସ୍କୃତିକ ସମାବେଶ ଆଦି ଚାଲିଛି।” ତେବେ ଅଗ୍ନି ନିରାପତ୍ତା ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଉଛି ବୋଲି ସରକାରୀ ଓକିଲ କୋର୍ଟଙ୍କୁ ଅବଗତ କରିବା ପରେ ଏହି ମାମଲାର ଶୁଣାଣି କରି ଅନ୍ତ ଘଟାଇଛନ୍ତି ଉଚ୍ଚ ନ୍ୟାୟାଳୟ ।

  • Related Posts

    ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ଅଗଷ୍ଟ ପର୍ଯ୍ୟନ୍ତ ୧୪ ବର୍ଷା

    ଭୁବନେଶ୍ବର: ଅଗଷ୍ଟ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ଘଡ଼ଘଡ଼ି ସହ ଝଟକା ପବନର ସମ୍ଭାବନା ରହିଛି । ଆଜି ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । କେନ୍ଦୁଝର, ମୟୂରଭଞ୍ଜ,…

    ଓଲଟିଲା ଯାତ୍ରୀବାହୀ ବସ୍‍, ୨୦ରୁ ଅଧିକ ଗୁରୁତର

    କାମାକ୍ଷାନଗର: ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତଥା ତୁମୁସିଂହା ଥାନା ଅନ୍ତର୍ଗତ କନ୍ତିଓକାଟେଣୀ ଗ୍ରାମ ନିକଟବର୍ତ୍ତୀ ରେଙ୍ଗାଲି କେନାଲ ରାସ୍ତାରେ ଯାତ୍ରୀବାହୀ ବସ ଓଲଟି କୋଡିଏ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ପରଜଙ୍ଗ ଥାନା କୁମୁସୀ ଗ୍ରାମରୁ ଜଗନ୍ନାଥ ନାମକ…

    Leave a Reply

    Your email address will not be published. Required fields are marked *

    You Missed

    ରାଜ୍ୟର ଅନେକ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ଅଗଷ୍ଟ ପର୍ଯ୍ୟନ୍ତ ୧୪ ବର୍ଷା

    ସିପିଆର୍‌ ଦେଇ ଯୁବକଙ୍କ ଜୀବନ ରକ୍ଷା ଟ୍ରାଫିକ୍‌ ପୁଲିସ

    ୫୧ତମ ଜାତୀୟ କନିଷ୍ଠ ସନ୍ତରଣ ପ୍ରତିଯୋଗିତା: ସାଇ ସ୍ବରୂପଙ୍କୁ ୨ଟି ସ୍ବର୍ଣ୍ଣ

    ଘର ଦେବା ନାଁରେ ୨.୧୫ କୋଟି ଲୁଟ୍, ଠକ ଦମ୍ପତି ଗିରଫ

    ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି

    ଓଲଟିଲା ଯାତ୍ରୀବାହୀ ବସ୍‍, ୨୦ରୁ ଅଧିକ ଗୁରୁତର