
କଟକ: ନୂଆବଜାର ପୋଲ ଉପରେ ସୋମବାର ବିଳମ୍ବିତ ରାତିରେ ଜଣେ ଯୁବକଙ୍କୁ କେତେକ ଦୁର୍ବୃତ୍ତ ଗୁଳିମାଡ଼ କରିଛନ୍ତି । ଗୁଳିମାଡ଼ରେ ମଧୁପାଟଣା ଥାନା ଖପୁରିଆ ଅଞ୍ଚଳର ସଞ୍ଜୟ କୁମାର ତରାଇ (୨୦) ଗୁରୁତର ଆହତ ହୋଇଛନ୍ତି । ଗୁଳିଟି ତାଙ୍କ ଡାହାଣ ଗୋଡ଼ରେ ବାଜି ହାଡଭାଙ୍ଗି ଜଙ୍ଘରେ ପଶିଯାଇଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ଏସ୍ସିବି ଟ୍ରମା କାଜୁଆଲଟିରେ ଭର୍ତ୍ତି କରିଛନ୍ତି ।
ଖପୁରିଆ ଅଞ୍ଚଳର ସଞ୍ଜୟ ବିଳମ୍ବିତ ରାତିରେ ନୂଆବଜାର ଫ୍ଲାଏ ଓଭରବ୍ରିଜ୍ ଉପରେ ଜଣେ ବନ୍ଧୁଙ୍କ ସହିତ ସାଇକେଲରେ ଘରକୁ ଫେରୁଥିଲେ । ଏହି ସମୟରେ କେତେ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଦୁର୍ବୃତ୍ତମାନେ ତାଙ୍କ ଗୋଡ଼କୁ ଗୁଳିମାଡ଼ କରିଥିଲେ । ଗୁଳିମାଡ଼ର କାରଣ ଜଣାପଡ଼ି ନଥିଲେ ମଧ୍ୟ କୌଣସି ପୂର୍ବ ଶତ୍ରୁତାକୁ ନେଇ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି । ସବୁଠାରୁ ଆଶ୍ଚର୍ୟ୍ୟଜନକ ଘଟଣା ହେଉଛି ଘଟଣା ଘଟିବାର ୨ ଘଣ୍ଟା ବିତି ଯାଇଥିଲେ ମଧ୍ୟ ପୁଲିସ ଘଟଣା ସଂପର୍କରେ ଅବଗତ ନଥିଲା କିମ୍ବା ଘଟଣାସ୍ଥଳରେ ପହଞ୍ଚିପାରି ନଥିଲା । ମେଡ଼ିକାଲ ସୂତ୍ରରୁ ଖବର ପାଇ ପୁଲିସ ଏସ୍ସିବିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।