
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରବିବାର ରାଜ୍ୟବ୍ୟାପୀ ୪୭୧ଟି ନୂଆ ଗ୍ରାମପଞ୍ଚାୟତ କାର୍ୟ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ହେବାକୁ ଯାଉଛି । ଯାହା ଲୋକଙ୍କୁ ସମ୍ମାନ, ସୁବିଧା ଓ ସମାଧାନ ଯୋଗାଇବାରେ ‘ସେବାର ନୂଆ ମନ୍ଦିର’ ହେବ ଏବଂ ଏକ ‘ଓ୍ଵାନ୍ ଷ୍ଟପ୍ ସର୍ଭିସ୍ ସେଣ୍ଟର’ ଭାବରେ କାର୍ୟ୍ୟ କରି ଶାସନ ଅପେକ୍ଷା ସେବାକୁ ଅଧିକ ପ୍ରାଧାନ୍ୟ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି, ଆମ ସରକାର ସର୍ବଦା ଓଡ଼ିଶାର ସର୍ବାଙ୍ଗୀନ ବିକାଶ ନିମନ୍ତେ ସମର୍ପିତ ଭାବରେ କାର୍ୟ୍ୟ କରୁଛନ୍ତି । ଓଡ଼ିଶାର ଗ୍ରାମୀଣ ଭିତ୍ତିଭୂମିକୁ ସଶକ୍ତ ଓ ସୁଦୃଢ଼ କରିବା ଦିଗରେ ଆଜିର ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ଆମର ଆର୍ଥିକ ଅନଗ୍ରସର ଓ ଉପେକ୍ଷିତ ଭାଇ ଓ ଭଉଣୀମାନଙ୍କୁ ଏକ ସୁରକ୍ଷିତ ଓ ମର୍ୟ୍ୟାଦାପୂର୍ଣ୍ଣ ଆଶ୍ରୟସ୍ଥଳ ଯୋଗାଇ ଦେବା ଉଦ୍ଦେଶ୍ୟରେ ଏହି ଅବସରରେ, ଆମେ ଅନ୍ତ୍ୟୋଦୟ ଗୃହ ଯୋଜନାର ୪୮ ହଜାର ୬୯୩ ଜଣ ହିତାଧିକାରୀଙ୍କୁ ଏକକାଳୀନ ପ୍ରଥମ କିସ୍ତି ମଧ୍ୟ ବଣ୍ଟନ କରିବାକୁ ଯାଉଛୁ । ଏହି ପଦକ୍ଷେପଗୁଡ଼ିକ ଗ୍ରାମାଞ୍ଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବ ।



