ଆଜିଠାରୁ ଏସିଆ କପ୍‌; ଆଫ୍‌ଗାନିସ୍ତାନ-ହଂକଂ ଉଦ୍‌ଘାଟନ ମ୍ୟାଚ୍‌

ଆବୁଧାବି: ଦୁଇ ବର୍ଷରେ ଥରେ ଆୟୋଜିତ ପୁରୁଷ ଏସିଆ କପ୍‌ କ୍ରିକେଟ୍‌ର ୧୭ଶ ସଂସ୍କରଣ ମଙ୍ଗଳବାରଠାରୁ ଆରମ୍ଭ ହେଉଛି। ଏହି ମହାଦେଶୀୟ ଟୁର୍ଣ୍ଣାମେଣ୍ଟ ଟ୍ବେଣ୍ଟି୨୦ ଫର୍ମାଟରେ ଖେଳାଯିବ। ୮ଟି ଏସୀୟ ଦଳଙ୍କୁ ୨ଟି ଗ୍ରୁପ୍‌ରେ ରଖାଯାଇଛି। ଗ୍ରୁପ୍ ‘ଏ’ରେ ଭାରତ ଓ ପାକିସ୍ତାନ ସହ ୟୁଏଇ ଓ ଓମାନ୍ ରହିଛନ୍ତି। ତେବେ ଗ୍ରୁପ୍ ‘ବି’କୁ ଗ୍ରୁପ୍ ଅଫ୍ ଡେଥ୍ କୁହାଯାଉଛି। କାରଣ ଏହି ଗ୍ରୁପ୍‌ରେ ଆଫ୍‌ଗାନିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ସହ ହଂକଂ ଥିବାରୁ ଏସୀୟ କ୍ରିକେଟ୍‌ ପରିଷଦ (ଏସିସି)କୁ ସମାଲୋଚନା କରାଯାଉଛି। ୨୦୨୩ ସଂସ୍କରଣ ଦିନିକିଆ ଫର୍ମାଟରେ ଖେଳା ଯାଇଥିବା ବେଳେ ଏଥର ପୁଣି ଟ୍ବେଣ୍ଟି୨୦ ଫର୍ମାଟକୁ ଫେରିଛି। ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ଅଧିକାର ଭାରତକୁ ମିଳିଥିଲା। ତେବେ ପାକିସ୍ତାନ ଏଥିରେ ଖେଳିବା ଏବଂ ହାଇବ୍ରିଡ୍‌ ମଡେଲକୁ ଏଡ଼ାଇବା ଲକ୍ଷ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ୟୁଏଇରେ ଖେଳାଯାଉଛି। ୟୁଏଇରେ ଗତ ସପ୍ତାହ ଧରି ଆଫ୍‌ଗାନିସ୍ତାନ ତ୍ରିରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଖେଳିଥିବାରୁ ଏଠାକାର ବାତାବରଣ ଓ ପିଚ୍‌ ସହ ଏହା ଭଲଭାବେ ପରିଚିତ ଅଛି। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନକୁ ଆଫ୍‌ଗାନିସ୍ତାନ ପରାସ୍ତ କରିଥିଲେ ହେଁ ରବିବାର ଫାଇନାଲରେ ପାକିସ୍ତାନ ଏହାକୁ ପରାସ୍ତ କରିଥିଲା।

ମଙ୍ଗଳବାର ଆଫ୍‌ଗାନିସ୍ତାନ ଓ ହଂକଂ ମଧ୍ୟରେ ଉଦ୍‌ଘାଟନ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ ଜିତିବା ପାଇଁ ଆଫ୍‌ଗାନିସ୍ତାନ ବଡ଼ ଦାବିଦାର। ରସିଦ୍ ଖାଁ ନେତୃତ୍ବାଧୀନ ଆଫ୍‌ଗାନିସ୍ତାନ ବେଶ୍‌ ଶକ୍ତିଶାଳୀ ଦଳ। ଏହାକୁ ସମ୍ଭାବ୍ୟ ଫାଇନାଲିଷ୍ଟ ଭାବେ ଗଣନା କରାଯାଉଛି। ତ୍ରିରାଷ୍ଟ୍ରୀୟ ଫାଇନାଲରେ ପାକିସ୍ତାନ ବିପକ୍ଷରେ ୬୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଥିଲେ ହେଁ ଆଫ୍‌ଗାନିସ୍ତାନର ବ୍ୟାଟିଂ ମଜ୍‌ଭୁତ ଅଛି। ସେଦିକୁଲ୍ଲା ଅଟଲ, ଇବ୍ରାହିମ୍ ଜାଦ୍ରାନ୍ ଓ ଓପ୍‌ନର ରହମନୁଲ୍ଲା ଗୁର୍‌ବାଜ ଭଲ ଫର୍ମରେ ଅଛନ୍ତି। ମହମ୍ମଦ ନବି, ଡାର୍‌ୱିସ୍ ରସୁଲି, କରିମ୍ ଜନ୍ନତ ଭଲ ବ୍ୟାଟ୍‌ସମ୍ୟାନ୍‌। ୟୁଏଇର ପିଚ୍‌ ସ୍ପିନରଙ୍କ ପାଇଁ ସହାୟକ ହେବାକୁ ଥିବା ବେଳେ ଦଳରେ ୩ ପ୍ରମୁଖ ସ୍ପିନର- ରସିଦ୍ ଖାଁ, ନୁର୍ ଅହମ୍ମଦ ଓ ମୁଜିବ୍ ଉର୍‌ ରେହ୍‌ମାନ ଯେକୌଣସି ବ୍ୟାଟିଂ ଲାଇନ୍‌କୁ ଅସୁବିଧାରେ ପକାଇ ପାରନ୍ତି। ହଂକଂ ଦଳକୁ କ୍ରିକେଟ୍‌ ଦୁନିଆରେ ଶିଶୁ ଭାବେ ଗଣନା କରାଯାଉଛି। ପାକିସ୍ତାନ ଓ ଭାରତ ବଂଶଜ କିଛି ଖେଳାଳିଙ୍କୁ ନେଇ ହଂକଂ ଦଳ ଗଠିତ। ଆଫ୍‌ଗାନିସ୍ତାନ ସହ ପ୍ରତିଦ୍ବନ୍ଦ୍ବିତା କରିପାରିଲେ; ହଂକଂ ଦଳ ଖୁସି ହେବ। ହଂକଂକୁ ଭଲ ଦଳଙ୍କ ବିରୋଧରେ ଖେଳିବାର ସୁଯୋଗ କମ୍ ମିଳିଥାଏ। ତେବେ ବିଶ୍ବ ମାନ୍ୟତାର ପ୍ରଥମ ୧୦ଟି ସ୍ଥାନରେ ଥିବା ଦଳଙ୍କ ମଧ୍ୟରୁ ୩ଟି ଦଳଙ୍କ ମଧ୍ୟରେ ଖେଳିବା ଦ୍ବାରା ହଂକଂ ବେଶ୍‌ ଅଭିଜ୍ଞତା ହାସଲ କରିପାରିବ। ଗ୍ରୁପ୍ ‘ବି’ରେ ହଂକଂକୁ ସବୁଠାରୁ ଦୁର୍ବଳ ଦଳ ଭାବେ ଗଣନା କରାଯାଉଛି। ଏହି ଗ୍ରୁପ୍‌ରୁ ସୁପର-୪ ପର୍ୟ୍ୟାୟକୁ ଯିବା ଲାଗି ଆଫ୍‌ଗାନିସ୍ତାନ, ଶ୍ରୀଲଙ୍କା ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ।
ଓଡ଼ିଆ ଖେଳାଳି ଅଂଶୁମାନ ରଥ ହଂକଂର ଅନ୍ୟତମ ଭଲ ବ୍ୟାଟ୍‌ସମ୍ୟାନ। ସେ ଦୁଇ ବର୍ଷ ଲାଗି ଓଡ଼ିଶା ପାଇଁ ମଧ୍ୟ ଖେଳିବା ପରେ ପୁଣି ହଂକଂକୁ ଫେରି ଯାଇଛନ୍ତି। ପାକିସ୍ତାନ ଜନ୍ମିତ ବାବର ହାୟାତ୍‌ ଓ ଦକ୍ଷିଣ ଆଫ୍ରିକା ଜନ୍ମିତ ମାର୍ଟିନ୍ କୋଏଜିଙ୍କ ସହ କିଞ୍ଚିତ ଶାହା ଓ ସାହିଦ୍ ୱାସିଫ୍ ଭଲ ବ୍ୟାଟ୍‌ସମ୍ୟାନ। ନିଜାକତ୍‌ ଖାଁ ଜଣେ ଭଲ ଅଲ୍‌ରାଉଣ୍ଡର। ବରିଷ୍ଠ ଅଲ୍‌ରାଉଣ୍ଡର ଆସିଫ୍ ମୁର୍ତାଜା ଦଳର ନେତୃତ୍ବ ନେଉଛନ୍ତି। ହଂକଂର ବୋଲିଂ ବିଷୟରେ ବେଶି କିଛି ଜଣାନାହିଁ। ବଡ଼ ବିଜୟ ସହ ଆଫ୍‌ଗାନିସ୍ତାନ ଏସିଆ କପ୍‌ ଅଭିଯାନ ଆରମ୍ଭ କରିବାର ପ୍ରୟାସ କରିବ। ଗତବର୍ଷ ଏସିସି ପ୍ରିମିୟର କପ୍‌ରେ ୩ୟ ସ୍ଥାନ ପାଇଁ ମ୍ୟାଚ୍‌ରେ ନେପାଳକୁ ହରାଇ ହଂକଂ ଏସିଆ କପ୍‌ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି। ୨୧ ବର୍ଷରେ ହଂକଂ ୧୧ଟି ଏସିଆ କପ୍‌ ମ୍ୟାଚ୍‌ ଖେଳି ସବୁତକ ହାରିଛି। ସେ ଯାହାହେଉ, ଏସିଆ କପ୍‌​‌େ​‌ର ସମସ୍ତଙ୍କ ଆକର୍ଷଣ ହେବ ଭାରତ-ପାକିସ୍ତାନ ମୁକାବିଲା।

  • Related Posts

    ଆଜି ସୁପର କିଙ୍ଗ୍‌ସ-କିଙ୍ଗ୍‌ସ ମୁକାବିଲା

    କଲକାତା: ଆଇପିଏଲରେ ଶୁକ୍ରବାର ଚେନ୍ନଇ ସୁପରକିଙ୍ଗ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ସପ୍ତମ ମ୍ୟାଚ ଖେଳାଯିବ। ଉଭୟ ଦଳ ଦ୍ବିତୀୟ ମ୍ୟାଚରେ ଅବତ୍ତୀର୍ଣ୍ଣ ହେ​‌େ​‌ବ। ଚେନ୍ନଇ ସୁପରକିଙ୍ଗ୍‌ସ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିବାବେଳେ ପଞ୍ଜାବ କିଙ୍ଗ୍‌ସ ବିଜୟ ହାସଲ କରିଥିଲା। ଋତୁରାଜ…

    Continue reading
    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ