
ଭୁବନେଶ୍ୱର: ସୋମବାରଠାରୁ ରାଜ୍ୟରେ ତାତି ବଢ଼ିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୩ରୁ ୫ ଡିଗ୍ରୀ ସେଲସିୟସ୍ ବଢ଼ିପାରେ । ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ତାତି ୪୦ ଡିଗ୍ରୀ ଟପିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏହାକୁ ନେଇ ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସ୍ଆରସି) ।
ରବିବାର ବୌଦ୍ଧ ସବୁଠୁ ତତଲା ପାଲଟିଥିଲା । ଏଠାରେ ଦିନ ତାପମାତ୍ରା ୩୮.୫ ଡିଗ୍ରୀ ରେକର୍ଡ ହୋଇଥିଲା । ଟିଟିଲାଗଡ଼ରେ ୩୮, ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୩୭.୪, ସୋନପୁରରେ ୩୭.୨, ଭବାନୀପାଟଣାରେ ୩୭ ଡିଗ୍ରୀ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ୱରରେ ୩୪ଡିଗ୍ରୀ ଓ କଟକରେ ୩୩ ଡିଗ୍ରୀ ରହିଥିଲା ।
ଆସନ୍ତା ୪ରୁ ୫ ଦିନ ଯାଏ ଦିନବେଳା ତାତି କ୍ରମଶଃ ୩ରୁ ୫ଡିଗ୍ରୀ ବଢ଼ିପାରେ ବୋଲି ଆକଳନ କରାଯାଇଛି । ସେହିଭଳି ରାତି ତାପମାତ୍ରା ବି ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସବୁ ଜିଲ୍ଲାପାଳଙ୍କୁ ସତର୍କ କରାଇବା ସହ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତ୍ ରହିବାକୁ ଏସ୍ଆରସି ନିର୍ଦ୍ଦେଶ ଦେଇଛନ୍ତି । ବରିଷ୍ଠ ନାଗରିକ, ଶିଶୁ ଓ ଅସୁସ୍ଥ ବ୍ୟକ୍ତି ଖରାରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।




