ଆୟୁର୍ବେଦ ଏକ ପୁରାତନ ଓ ସମୃଦ୍ଧ ଚିକିତ୍ସା ବିଜ୍ଞାନ:ମୁଖ୍ୟମନ୍ତ୍ରୀ

ପୁରୀ: ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ତମ ବାର୍ଷିକ ଉତ୍ସବ ଅବସରରେ ଆପଣମାନଙ୍କୁ ମୋର ଆନ୍ତରିକ ଶୁଭେଛା ଓ ଅଭିନନ୍ଦନ ଜଣାଉଛି। ବିଶେଷ କରି, କଲେଜର ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହା ଏକ ଅତ୍ୟନ୍ତ ଆନନ୍ଦ ଓ ଖୁସିର ମୁହୂର୍ତ୍ତ। ଦେଶର ପ୍ରଥମ ନାଗରିକ ମହାମହିମ ରାଷ୍ଟ୍ରପତି ତଥା ଆମ ରାଜ୍ୟର ପ୍ରଥମ ନାଗରିକ ମାନ୍ୟବର ରାଜ୍ୟପାଳଙ୍କ ଉପସ୍ଥିତି ଆପଣମାନଙ୍କ ଏବଂ ଆମ ସମସ୍ତଙ୍କର ଗହଣରେ ଉପସ୍ଥିତ ରହି ଏହି ଉତ୍ସବର ଶୋଭା ଏବଂ ବିଭବତାକୁ ଦ୍ଵି-ଗୁଣିତ କରିଛି। ଯେ କୌଣସି ଶିକ୍ଷାନୁଷ୍ଠାନ ପାଇଁ ଏହା ନିଶ୍ଚିତ ଭାବେ ଏକ ଅପୂର୍ବ ସଂଯୋଗ। ଏହି ସମାରୋହ ନିଶ୍ଚୟ ଆପଣଙ୍କ ସାରା ଜୀବନ ପାଇଁ ଏକ ସୁଖଦ ଅନୁଭୂତି ହୋଇ ରହିବ, ଏଥିରେ ସନ୍ଦେହ ନାହିଁ। ୧୯୪୯ ମସିହାରେ ଏକ ଆୟୁର୍ବେଦିକ ବିଦ୍ୟାପୀଠ ଭାବେ ଏହି ଅନୁଷ୍ଠାନ ଗଢି ଉଠିଥିଲା। ଆଜି ଏକ ଆଦର୍ଶ ମହାବିଦ୍ୟାଳୟ ଭାବରେ ଏହି ଅନୁଷ୍ଠାନ ଦେଶର ସୁନାମ ହାସଲ କରିଛି। ଆୟୁର୍ବେଦରେ ଉଚ୍ଚ ଶିକ୍ଷା ପାଇଁ ଏହା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆକର୍ଷଣର ଏକ କେନ୍ଦ୍ର ହୋଇପାରିଛି। ଏହି ଅନୁଷ୍ଠାନର ଅନେକ ଛାତ୍ର ଛାତ୍ରୀ ଆଜି ଆୟୁର୍ବେଦ ବିଶେଷଜ୍ଞ ଭାବେ ସାରା ରାଜ୍ୟ ଓ ଦେଶରେ ପ୍ରସିଦ୍ଧି ଅର୍ଜନ କରି ପାରିଛନ୍ତି।ଆୟୁର୍ବେଦ ଏକ ପୁରାତନ ଓ ସମୃଦ୍ଧ ଚିକିତ୍ସା ବିଜ୍ଞାନ। ଭାରତର ପ୍ରାଚୀନ ଋଷି ଓ ଆଚାର୍ୟ୍ୟ ଯଥା ଚରକ, ସୁଶୃତ ଓ ବାଗ୍‌ଭଟ୍ଟ ରଚିତ ସଂହିତାଦ୍ୱାରା ଏହି ବିଜ୍ଞାନ ପରିପୁଷ୍ଟ । ଦୀର୍ଘ ୫ ହଜାର ବର୍ଷରୁ ଅଧିକ ସମୟ ଧରି ଏହା ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା କ୍ଷେତ୍ରରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରି ଆସୁଛି।
ଭାରତୀୟ ସଂସ୍କୃତି ଏବଂ ପରମ୍ପରା ସହିତ ଆୟୁର୍ବେଦ ଅଙ୍ଗାଙ୍ଗିଭାବେ ଜଡିତ। ଏହା ଜାଣିବାକୁ ହେଲେ ଆମକୁ ବହୁତ ଦୂର ଯିବାକୁ ପଡିବ ନାହିଁ । ପ୍ରଭୁ ଜଗନ୍ନାଥଙ୍କ ନୀତିକାନ୍ତିକୁ ଅଧ୍ୟୟନ କଲେ ଆମେ ଏହାକୁ ଜାଣିପାରିବା। ଦେବସ୍ନାନ ପୂର୍ଣ୍ଣିମା ପରେ ତିନି ଠାକୁର ଜ୍ବରରେ ପୀଡିତ ହୋଇଥାନ୍ତି। ତେଣୁ ଆୟୁର୍ବେଦ ରୀତି-ନୀତି ଭାବେ ଜୀଉମାନଙ୍କର ଉପଚାର କରାଯାଇଥାଏ। ଚିକିତ୍ସା ସହିତ ବିଶେଷ ପ୍ରକାର ପଥି ମଧ୍ୟ ଲାଗି କରାଯାଏ। ଆୟୁର୍ବେଦର କରାମତି ଆମେ ସମସ୍ତେ ରାମାୟଣରୁ ଜାଣିଛୁ। ଯେତେବେଳେ ଲକ୍ଷ୍ମଣ ରଣାଙ୍ଗନରେ ମୂର୍ଚ୍ଛିତ ଅବସ୍ଥାରେ ଥିଲେ ହିମାଲୟର ବିଶଲ୍ୟକରଣୀ ତାଙ୍କୁ ସୁସ୍ଥ କରାଇଥିଲା। ଏପରି, ଅନେକ ଉଦାହରଣ ଆମ ଧର୍ମଶାସ୍ତ୍ରରେ ଉଲ୍ଲିଖିତ ଅଛି। ଆୟୁର୍ବେଦ ଏକ ସଂପୂର୍ଣ୍ଣ ସ୍ୱାସ୍ଥ୍ୟ ବିଜ୍ଞାନ। ଆୟୁର୍ବେଦରେ ଉପଯୁକ୍ତ ଉପଚାର ସହିତ ସନ୍ତୁଳିତ ଆହାର ଓ ଜୀବନ ଶୈଳୀ ଦ୍ୱାରା ଆରୋଗ୍ୟ ଲାଭ କରାଯାଇ ପାରିବ। ମାନବ ଶରୀର, ୫ଟି ମୌଳିକ ତତ୍ତ୍ୱ ଯଥା- ଆକାଶ, ବାୟୁ, ଅଗ୍ନି, ଜଳ ଓ ପୃଥିବୀ ସହିତ ଆତ୍ମାର ସଂଯୋଗରେ ନିର୍ମିତ ହୋଇଥାଏ । ଏହା ପ୍ରକୃତି ଓ ଶରୀର ସହ ସମନ୍ୱୟ ରକ୍ଷା କରି ଜୀବନର ମାନକୁ ବୃଦ୍ଧି କରୁଥିବାରୁ, ଏହାକୁ ସମଗ୍ର ବିଶ୍ୱ ଏକ ଉତ୍ତମ ଚିକିତ୍ସା ପଦ୍ଧତି ଭାବରେ ଗ୍ରହଣ କରିଛି । ଆୟୁର୍ବେଦ, ଯୋଗ, ଆଧ୍ୟାତ୍ମିକତାର ସଦୁପୋଯୋଗକରି ଏକ ସୁସ୍ଥ ନିରାମୟ ଜୀବନଶୈଳୀ କିପରି ଭାବେ ପାଇପାରିବେ ତାହାର ଜ୍ଵଳନ୍ତ ଉଦାହରଣ ହେଉଛନ୍ତି ଆମ ସମସ୍ତଙ୍କର ସମ୍ମାନନୀୟା ମହାମହିମ ରାଷ୍ଟ୍ରପତି ମହୋଦୟା। ତାଙ୍କ ଜୀବନର ସଂଗ୍ରାମ ଓ ସଫଳତା ଆମ ସମସ୍ତଙ୍କ ପାଇଁ ପ୍ରେରଣା।କିନ୍ତୁ ଦୁଃଖର କଥା ୨୦୧୪ ପର୍ୟ୍ୟନ୍ତ ଭାରତୀୟ ଚିକିତ୍ସା ପରମ୍ପରାକୁ ଏକ ରକମର ଅବହେଳିତ କରାଯାଉଥିଲା। ଧର୍ମକୁ ଆଖିଠାର ପରି ସ୍ୱାସ୍ଥ୍ୟ ବିଭାଗରେ କିଛି ଖର୍ଚ୍ଚ ପ୍ରବଧାନ କରି ଦୟିତ୍ଵ ସମ୍ପାଦନ କରିଦେଉଥିଲେ,। କିନ୍ତୁ ୯ ନଭେମ୍ବର ୨୦୧୪ ଦିନ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଜୀ ସ୍ଵତନ୍ତ୍ର ଭାବେ ଆୟୁଷ ମନ୍ତ୍ରଣାଳୟ ଗଠନ କରି ଭାରତୀୟ ଚିକିତ୍ସା ପରମ୍ପରାକୁ ଏକ ନୂଆ ଦିଶା ଓ ଦଶା ଦେଇଛନ୍ତି। ଗତ କିଛି ବର୍ଷ ମଧ୍ୟରେ ଆୟୁର୍ବେଦ ଡାକ୍ତରଙ୍କୁ ଅନେକ ନୂଆ ନୂଆ ଦାୟିତ୍ଵ ପ୍ରଦାନ କରାଯାଇଛି। ଆୟୁର୍ବେଦକୁ ଲୋକାଭିମୁଖୀ କରିବା ପାଇଁ କେନ୍ଦ୍ର ସରକାର ୨୦୧୬ ମସିହାରୁ ଦେବ-ବୈଦ୍ୟ ଭଗବାନ ଧନ୍ୱନ୍ତରୀଙ୍କ ଜୟନ୍ତୀ ବା ଧନ୍ ତେରସ ଦିନଟିକୁ ‘ବିଶ୍ୱ ଆୟୁର୍ବେଦ ଦିବସ’ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଧନ୍ଵନ୍ତରୀ ଜୟନ୍ତୀ ଅବସରରେ ମାନ୍ୟବର ପ୍ରଧାନମନ୍ତ୍ରୀ ଜଟଣୀ ଠାରେ ଶହେ ଶଯ୍ୟା ବିଶିଷ୍ଟ ଏକ ‘ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନ’ ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି। ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ ଆମର ପାରମ୍ପରିକ ସ୍ବାସ୍ଥ୍ୟ ବିଜ୍ଞାନ — ଯୋଗ, ଆୟୁର୍ବେଦ ଓ ପ୍ରାକୃତିକ ଚିକିତ୍ସାର ଲୋକପ୍ରିୟତା ବୃଦ୍ଧି ପାଇଁ ଉଦ୍ୟମ ଜାରି ରଖିଛନ୍ତି। ତାଙ୍କ ଉଦ୍ୟମରେ ପ୍ରତି ବର୍ଷ ଜୁନ ୨୧ ତାରିଖକୁ ସାରା ବିଶ୍ବରେ ଯୋଗ ଦିବସ ଭାବେ ଖୁବ୍ ଉତ୍ସାହର ସହିତ ପାଳନ କରାଯାଉଛି।ଆୟୁଷ ମନ୍ତ୍ରାଳୟ ଏହାର ଅନୁସନ୍ଧାନ ସଂସ୍ଥାନ ଦ୍ୱାରା ଆୟୁର୍ବେଦ ମାଧ୍ୟମରେ କର୍କଟ, ମଧୁମେହ ଓ ହୃଦ୍‌ରୋଗ ଇତ୍ୟାଦି ରୋଗର ନିୟନ୍ତ୍ରଣ ନିମିତ୍ତ ଏକ ଜାତୀୟ କାର୍ୟ୍ୟକ୍ରମ ଆରମ୍ଭ କରିଛି । ଏହାଦ୍ୱାରା ଏହି ସବୁ ଜଟିଳ ରୋଗ ଗୁଡ଼ିକର ସହଜ ସମାଧାନର ସୂତ୍ର ମିଳିପାରିବ।

ଓଡ଼ିଶାରେ ବର୍ତ୍ତମାନ ୩ଟି ସରକାରୀ ଆୟୁର୍ବେଦ କଲେଜ ଓ ଗୋଟିଏ ବେସରକାରୀ ଆୟୁର୍ବେଦ କଲେଜ କାର୍ୟ୍ୟରତ ଅଛି। ଆମ ରାଜ୍ୟରେ ବର୍ତ୍ତମାନ ଆୟୁର୍ବେଦ ଚିକିତ୍ସା ସେବା ଯୋଗାଇଦେବା ପାଇଁ ୫୨୦ଟି ଆୟୁର୍ବେଦ ଚିକିତ୍ସାଳୟ ଓ ୫ଗୋଟି ଆୟୁର୍ବେଦ ହସ୍‌ପିଟାଲ ମାନଙ୍କରେ ରୋଗୀ ସେବା ଯୋଗାଇ ଦିଆଯାଉଛି । ଆୟୁର୍ବେଦ ଚିକିତ୍ସା ମାଧ୍ୟମରେ ଅଦ୍ୟାବଧି ପ୍ରାୟ ୨ କୋଟିରୁ ଉର୍ଦ୍ଧ୍ୱ ରୋଗୀମାନଙ୍କୁ ସେବା ଯୋଗାଇ ଦିଆଯାଇଛି ।

କୋଭିଡ଼ ମହାମାରୀ ସମୟରେ ଆୟୁଷ ଡାକ୍ତର ମାନଙ୍କର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ଥିଲା । ସେ ଦୃଷ୍ଟିରୁ ବର୍ତ୍ତମାନ “ଆମ ସରକାର ଢେଙ୍କାନାଳ ଓ ଗଞ୍ଜାମରେ ୨ଟି ୫୦ ଶଯ୍ୟା ବିଶିଷ୍ଟ ଆୟୁଷ ଚିକିତ୍ସାଳୟ ନିର୍ମାଣ କରିଛନ୍ତି। ଏହାକୁ ଖୁବ୍ ଶୀଘ୍ର ଲୋକାର୍ପିତ କରାଯିବ ଏବଂ ଜନସାଧାରଣ ଏହି ୨ଟି ଅନୁଷ୍ଠାନରୁ ସ୍ୱାସ୍ଥ୍ୟ ସେବା ପାଇପାରିବେ। ନୂଆ ଚିକିତ୍ସାଳୟ ନିର୍ମାଣ ସହିତ ରାଜ୍ୟରେ ସେବା ଯୋଗାଇ ଦେଉଥିବା ବିଭିନ୍ନ ଆୟୁର୍ବେଦ ଚିକିତ୍ସାଳୟ ମାନଙ୍କର କାର୍ୟ୍ୟଦକ୍ଷତା ବୃଦ୍ଧି କରିବା ପାଇଁ ମଧ୍ୟ ପଦକ୍ଷେପ ନିଆ ଯାଉଛି।

ଯୋଗ, ଆୟୁର୍ବେଦ ଆଦି ସବୁ ହଜାର ହଜାର ବର୍ଷର ଜ୍ଞାନ। ଆଜି ଏହି ସବୁ ଚିକିତ୍ସା ପଦ୍ଧତିର ଲୋକପ୍ରିୟତା ଦିନକୁ ଦିନ ବଢି ଚାଲିଛି। ଆଜି ବିଶ୍ଵ ଭାରତୀୟ ଚିକିତ୍ସା ବିଜ୍ଞାନକୁ ଚାହିଁ ରହିଛି। ଆମ ଶାସ୍ତ୍ର, ପୋଥି, ପାଣ୍ଡୁଲିପି ଏପରିକି ଅଥର୍ବ ବେଦରେ ଥିବା ଚିକିତ୍ସା ବିଜ୍ଞାନ ସଂପୂର୍ଣ୍ଣ ଭାବେ ଅନୁସନ୍ଧାନ ଏବଂ ଆବିଷ୍କୃତ ହୋଇନାହିଁ। ଏଥିପାଇଁ ଅଧିକ ଅନୁସନ୍ଧାନର ଆବଶ୍ୟକତା ଅଛି। ଆଶା କରୁଛି ଆୟୁର୍ବେଦ ବିଜ୍ଞାନ ସହିତ ସମ୍ପୃକ୍ତ ଥିବା ଗଣ୍ୟମାନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ।

ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ, ଓଡିଶାର ଏକ ଐତିହ୍ୟ ସମ୍ପନ୍ନ ମହାବିଦ୍ୟାଳୟ। ଏହି ମହାବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରି ଏହାକୁ ଏକ ଉତ୍କର୍ଷ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ଆମ ସରକାର ପଦକ୍ଷେପ ଗ୍ରହଣ କରିବେ।

  • Related Posts

    ଉଜ୍ଜୟିନୀରେ ‘ମହାକାଳ : ଦ ମାଷ୍ଟର ଅଫ୍ ଟାଇମ୍’ ଆନ୍ତର୍ଜାତୀୟ ସମ୍ମିଳନୀ ଶୁଭାରମ୍ଭରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

    ପୁରୀ, ଉଜ୍ଜୟିନୀ ଏବଂ କାଶୀ ଭାରତୀୟ ଜ୍ଞାନ ପରମ୍ପରାର ପ୍ରମୁଖ କେନ୍ଦ୍ର – ଧର୍ମେନ୍ଦ୍ର ପ୍ରଧାନମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଡା. ମୋହନ ଯାଦବ ଏବଂ ଆରଏସଏସର ଅଖିଳ ଭାରତୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁରେଶ ସୋନୀ ଉପସ୍ଥିତ • ଜାତୀୟ ଶିକ୍ଷା ନୀତି ଆମକୁ…

    Continue reading
    ବେଳାଭୂମିରେ ମଦ ବିକିପାରିବ ଓଟିଡିସି

    ଭୁବନେଶ୍ଵର: ଅବକାରୀ ବିଭାଗର ନୂଆ ଗାଇଡଲାଇନ୍। ଟେଟ୍ରା ପ୍ୟାକରେ ମିଳିବ ମଦ। ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ଏଥିରେ ୬ଟି ସୁରକ୍ଷା ଲେୟର ରହିବ। ସେପଟେ ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ