
ଇସଲାମାବାଦ: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ବିମାନ ଇସଲାମାବାଦରେ ଅବତରଣ କରିଛି। ତାଙ୍କ ବିମାନ ରାୱଲପିଣ୍ଡିର ନୁର ଖାନ ଏୟାରବେସରେ ଅବତରଣ କରିଛି। ଏହା ପରେ ଉଭୟ ଦେଶର ପ୍ରତିନିଧି ଦଳ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଭେଟିବେ। ବୈଠକରେ ଇରାନ-ଆମେରିକା ମଧ୍ୟରେ ଗତ ଫେବ୍ରୁଆରି ୨୮ ତାରିଖ ଠାରୁ ଜାରି ଥିବା ଯୁଦ୍ଧ ବନ୍ଦ ନେଇ ସ୍ଥାୟୀ ସମାଧାନ ଉପରେ ଆଲୋଚନା ହେବ।
ନ୍ୟୁୟର୍କ ପୋଷ୍ଟ ସହିତ ଏକ ସାକ୍ଷାତକାରରେ ଟ୍ରମ୍ପ ଇସାରା ଦେଇଛନ୍ତି ଯେ, ଏହି ଆଲୋଚନା ବିଫଳ ହୁଏ, ତେବେ ଇରାନ ଉପରେ ଆକ୍ରମଣ ପୁଣି ଥରେ ଆରମ୍ଭ ହୋଇପାରେ । ଆମେରିକା ଯୁଦ୍ଧଜାହଜଗୁଡିକ ସର୍ବୋତ୍ତମ ଗୋଳାବାରୁଦରେ ସଜ୍ଜିତ ଏବଂ ଆକ୍ରମଣ ପାଇଁ ପ୍ରସ୍ତୁତ । ଆମେରିକା ରାଷ୍ଟ୍ରପତି ଦାବି କରିଛନ୍ତି ଯେ, ଇରାନ ରାଜି ହେଉ କି ନ ହେଉ, ୱାସିଂଟନ ଖୁବଶୀଘ୍ର ହୋର୍ମୁଜ ପ୍ରଣାଳୀ ପୁଣି ଖୋଲିବ । ଏହା ସହଜ ହେବ ନାହିଁ, ମୁଁ କେବଳ ଏତିକି କହିବି ଯେ ଆମେ ଏହାକୁ ଶୀଘ୍ର ଖୋଲିବୁ ।”
ଟ୍ରମ୍ପ ଆହୁରି କହିଛନ୍ତି, ଆମେ ଏପରି ଲୋକଙ୍କ ସହ କାର୍ୟ୍ୟ କରିବାକୁ ଚାହୁଁଛୁ ଯେଉଁମାନେ, ସତ କହୁଛନ୍ତି କି ନାହିଁ ଆମେ ଜାଣିନାହୁଁ । ସେମାନେ ଆମକୁ କହୁଛନ୍ତି ଯେ, ସେମାନେ ପରମାଣୁ ଅସ୍ତ୍ରଶସ୍ତ୍ର ସମାପ୍ତ କରୁଛନ୍ତି, ତା ପରେ ସେମାନେ ପ୍ରେସକୁ ଯାଇ କହୁଛନ୍ତି ଯେ ସେମାନେ ୟୁରାନିୟମକୁ ସମୃଦ୍ଧ କରିବାକୁ ଚାହୁଁଛନ୍ତି । ଇରାନର ଲୋକମାନେ ଯୁଦ୍ଧ କରିବା ଅପେକ୍ଷା ମିଛ ଖବର ଗଣମାଧ୍ୟମ ଏବଂ ଜନସମ୍ପର୍କ ପରିଚାଳନା କରିବାରେ ଭଲ ।




