
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଆ ଝିଅଙ୍କ ବାପାଙ୍କ ସହିତ ଫୋନ୍ ଯୋଗେ କଥା ହୋଇ ସମବେଦନା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସଂପୃକ୍ତ ପୀଡ଼ିତାଙ୍କ ବାପାଙ୍କୁ କହିଛନ୍ତି ଯେ ‘ଆପଣଙ୍କ ଝିଅ ବିଷୟରେ ଜାଣିବା ପରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ’।ଜଣେ ବାପା ଭାବରେ ଆପଣ କେଉଁ ପ୍ରକାର ମାନସିକ ସ୍ଥିତିରେ ଥିବେ, ମୁଁ ତାହା ଅନୁଭବ କରି ପାରୁଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ତାଙ୍କର (ପୀଡ଼ିତାଙ୍କ ବାପା) ଏ ଘଡିସନ୍ଧି ମୁହୂର୍ତ୍ତରେ ସେ ବ୍ୟକ୍ତିଗତ ଭାବେ ଏବଂ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆପଣଙ୍କ ସହିତ ଦୃଢ଼ ଭାବରେ ଅଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।ଝିଅ କିପରି ଶୀଘ୍ର ସୁସ୍ଥ ହେବ ଓ ସାଧାରଣ ଜୀବନ ଯାପନ କରିବ ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଅପରାଧୀମାନେ ଯେପରି କଠୋର ଦଣ୍ଡ ପାଇବେ ସେଥିପାଇଁ ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦୃଢ଼ ଦାବି ଉପସ୍ଥାପିତ କରାଯାଇଛି ବୋଲି ସେ ଜଣାଇଥିଲେ। ଓଡ଼ିଶାର ଜଣେ ଉଚ୍ଚ ପଦାଧିକାରୀ ପଶ୍ଚିମବଙ୍ଗ ସରକାରଙ୍କ ସହିତ ଯୋଗାଯୋଗରେ ରହି, ଯାହା ଆଇନଗତ ଏବଂ ଯେ କୌଣସି ଆବଶ୍ୟକ ସହାୟତା ଯୋଗାଇଦେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ବାଲେଶ୍ଵରର ଏସ୍ପିଙ୍କୁ ଦୁର୍ଗାପୁର ପୁଲିସ ସହିତ ଯୋଗାଯୋଗରେ ରହି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କର (ପୀଡ଼ିତାଙ୍କ ବାପା) ଯଦି ଅନ୍ୟ କୌଣସି ସହାୟତାର ଆବଶ୍ୟକତା ଥାଏ, ତେବେ ରାଜ୍ୟ ସରକାର ନିଶ୍ଚିତ ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମବେଦନା ଓ ସହାୟତା ପାଇଁ ପୀଡ଼ିତାଙ୍କ ପିତା ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।


