ଓଭାଲ୍‌ ଟେଷ୍ଟ: ପ୍ରଥମ ଦିନରେ ଭାରତ ୬/୨୦୪

ଲଣ୍ଡନ: ସଂଘର୍ଷପୂର୍ଣ୍ଣ ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫି ଶୃଙ୍ଖଳାର ନିର୍ଣ୍ଣାୟକ ୫ମ ତଥା ଅନ୍ତିମ ଟେଷ୍ଟମ୍ୟାଚ୍‌ ଗୁରୁବାର ଦି ଓଭାଲ୍‌ରେ ଆରମ୍ଭ ହୋଇଛି। ପ୍ରଥମ ଦିନର ବେଶ୍‌ କିଛି ସମୟ ବର୍ଷା ଯୋଗୁଁ ନଷ୍ଟ ହୋଇଛି। ହେଲେ ବାକି ସମୟରେ ଇଂଲଣ୍ଡର ପେସ୍‌ ବାହିନୀ ନିୟମିତ ୱିକେଟ୍ ନେଇ ଭାରତକୁ ଚାପରେ ପକାଇ ପାରିଛନ୍ତି। ଅନ୍ୟପକ୍ଷରେ କରୁଣ ନାୟାର ଅପରାଜିତ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଅନ୍ୟ କିଛି ଭାରତୀୟ ବ୍ୟାଟ୍‌ସମ୍ୟାନ୍ ଉପଯୋଗୀ ଯୋଗଦାନ କରିଛନ୍ତି। ଫଳରେ ପ୍ରଥମ ଦିନରେ ଉଭୟ ଦଳ ସମ୍ମାନ ଭାଗ କରିଛନ୍ତି। ପିଚ୍‌ରେ ଘାସ ଓ ଆକାଶ ମେଘାଛନ୍ନ ଥିବା ବେଳେ ଇଂଲଣ୍ଡର ପେସ୍‌ ବୋଲର ଏହାର ଫାଇଦା ଉଠାଇଥିଲେ। ତେବେ ସେମାନେ ସଠିକ୍‌ ଲାଇନ୍‌ ଲେଙ୍ଗ୍‌ଥରେ ବୋଲିଂ କରିଥିଲେ ଭାରତ ଆହୁରି ଅସୁବିଧାରେ ପଡ଼ିଥାଆନ୍ତା। ପ୍ରଥମ ଦିନରେ ୬୪ ଓଭରର ଖେଳ ହୋଇଥିବା ବେଳେ ଭାରତ ପ୍ରଥମ ଇନିଂସରେ ୬ ୱିକେଟ୍‌ ହରାଇ ୨୦୪ ରନ୍‌ କରିପାରିଛି।
ଭାରତ କ୍ରମାଗତ ୫ମ ଟେଷ୍ଟମ୍ୟାଚ୍‌ରେ ଟସ୍ ହାରିଥିବା ବେଳେ ଆଶା ଅନୁସାରେ ଇଂଲଣ୍ଡ ବୋଲିଂର ନିଷ୍ପତ୍ତି ନେଇଥିଲା। ୪ର୍ଥ ଓଭରରେ ଇଂଲଣ୍ଡକୁ ପ୍ରଥମ ସଫଳତା ମିଳିଥିଲା। ଚଳିତ ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍‌ ଖେଳିଥିବା ପେସର୍ ଗସ୍ ଆଟ୍‌କିନସନଙ୍କ ଇନ୍‌ସ୍ବିଙ୍ଗରରେ ଯଶସ୍ବୀ ଜୟସୱାଲ ୨ ରନ୍‌କରି ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଅନ୍ୟ ଓପ୍‌ନର କେ.ଏଲ୍‌. ରାହୁଲ ଓ ସାଇ ସୁଦର୍ଶନ ୧୨ ଓଭରରେ ୨୮ ରନ୍‌ ଯୋଡ଼ିଥିଲେ। ରାହୁଲ ୪୦ ବଲ୍‌ରୁ ୧୪ ରନ୍‌ କରିଥିଲେ। ଭାରତୀୟ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରୁ ସବୁଠାରୁ ଆରାମରେ ସ୍ବିଙ୍ଗ୍‌ ବୋଲିଂର ମୁକାବିଲା କରିଥିବା ଅଧିନାୟକ ଶୁଭମନ ଗିଲ୍‌ ଆତ୍ମଘାତୀ ନିଷ୍ପତ୍ତିର ଶିକାର ହୋଇଥିଲେ। ତାଙ୍କ ସଟ୍‌ ସିଧା ବୋଲର ଗସ୍ ଆଟ୍‌କିନ୍‌ସନଙ୍କ ହାତକୁ ଯାଇଥିବା ବେଳେ ବେପରୁଆ ଭାବେ ଦୌଡ଼ି ଗିଲ୍‌ ରନ୍‌ଆଉଟ୍‌ ହୋଇଥିଲେ। ଶୁଭମନ ଗିଲ୍‌ ୩୫ ବଲ୍‌ରୁ ୪ଟି ଚୌକା ସହ ୨୧ ରନ୍‌ କରିଥିଲେ। ଜୋଫ୍ରା ଆର୍ଚରଙ୍କ ସ୍ଥାନରେ ଖେଳୁଥିବା ଜୋସ୍ ଟଙ୍ଗ୍‌ କ୍ରମାଗତ ୨ଟି ୱିକେଟ୍‌ ନେଇ ଭାରତକୁ ଚିନ୍ତାରେ ପକାଇଥିଲେ। ଯୁବ ବ୍ୟାଟ୍‌ସମ୍ୟାନ୍ ସାଇ ସୁଦର୍ଶନ ୧୦୮ ବଲ୍‌ ଖେଳି ୬ଟି ଚୌକା ସହ ୩୮ ରନ୍‌କରି ୱିକେଟ୍‌ ପଛରେ କ୍ୟାଚ୍‌ ଦେଇଥିଲେ। ଜୋସ୍ ଟଙ୍ଗ୍‌ଙ୍କ ଏକ ମାରାତ୍ମକ ବଲ୍‌କୁ ଖେଳି ନପାରି ଗତ ମ୍ୟାଚ୍‌ର ହିରୋ ରବୀନ୍ଦ୍ର ଜାଡ଼େଜା ୱିକେଟ୍‌ ରକ୍ଷକଙ୍କୁ କ୍ୟାଚ୍‌ ଦେଇଥିଲେ। ବାମହାତି ଜାଡ଼େଜା ୯ ରନ୍‌ କରିଥିଲେ। ଋଷଭ ପନ୍ତଙ୍କ ସ୍ଥାନରେ ଖେଳୁଥିବା ଧ୍ରୁବ ଜୁରେଲ ଏହି ସୁଯୋଗର ଫାଇଦା ଉଠାଇ ପାରିନଥିଲେ। ୪୦ ବଲ୍‌ ଖେଳି ଜୁରେଲ ସେଟ୍‌ ହୋଇ ଯାଇଥିଲେ ହେଁ ବେଶି ସମୟ ରହି ପାରିନଥିଲେ। ହ୍ୟାରୀ ବ୍ରୁକ୍‌ ଚମତ୍କାର କ୍ୟାଚ୍‌ରେ ଆଉଟ୍‌ ହୋଇଥିବା ଜୁରେଲ ୨ଟି ଚୌକା ସହ ୧୯ ରନ୍‌ କରି ପାରିଥିଲେ। ଗୋଟିଏ ମ୍ୟାଚ୍‌ ପରେ ଏକାଦଶକୁ ଫେରିଥିବା କରୁଣ ନାୟାର ଭଲ ବ୍ୟାଟିଂ କରିଥିଲେ। ୧୫୩ ରନ୍‌ରେ ୬ଟି ୱିକେଟ୍‌ ହରାଇଥିବା ଭାରତ ପାଇଁ ଅବିଭାଜିତ ୭ମ ୱିକେଟ୍‌ ପାଇଁ ନାୟର ଓ ୱାଶିଂଟନ ସୁନ୍ଦର ୫୧ ରନ୍‌ ଯୋଡ଼ିଛନ୍ତି। ଅଭିଜ୍ଞ କରୁଣ ନାୟାର ୯୮ ବଲ୍‌ରୁ ୭ଟି ଚୌକା ସହ ୫୨ ଏବଂ ୱାଶିଂଟନ ସୁନ୍ଦର ୪୫ ବଲ୍‌ରୁ ୨ଟି ଚୌକା ସହ ୧୯ ରନ୍‌କରି ଅପରାଜିତ ରହିଛନ୍ତି। ଗସ୍ ଆଟ୍‌କିନ୍‌ସ ଓ ଜୋସ୍ ଟଙ୍ଗ୍‌ ୨ଟି ଲେଖାଏଁ ୱିକେଟ୍‌ ନେଇଛନ୍ତି। ଇଂଲଣ୍ଡର ବୋଲର ୩୦ ଅତିରିକ୍ତ ରନ୍‌ ଦେଇଛନ୍ତି। ଭାରତ ପାଇଁ ଏହି ମ୍ୟାଚ୍‌ରେ ଋଷଭ ପନ୍ତ, ସାର୍ଦୁଳ ଠାକୁର, ଅଂଶୁଲ କାମ୍ବୋଜ ଓ ଯଶପ୍ରୀତ ବୁମ୍‌ରାଙ୍କ ସ୍ଥାନରେ ଧ୍ରୁବ ଜୁରେଲ, କରୁଣ ନାୟାର, ଆକାଶ ଦୀପ ଓ ପ୍ରସିଦ୍ଧ କୃଷ୍ଣ ଖେଳୁଛନ୍ତି।

  • Related Posts

    ଲକ୍ଷ୍ନୌକୁ ୬ ଓ୍ବିକେଟରେ ହରାଇଲା ଦିଲ୍ଲୀ

    ଲକ୍ଷ୍ନୌ:ଆଇପିଏଲ୍ ୨୦୨୬ ର ପଞ୍ଚମ ଲିଗ୍ ମ୍ୟାଚ୍ ରେ, ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପରଜାଏଣ୍ଟସ୍ କୁ ୬ ୱିକେଟରେ ପରାସ୍ତ କରିଛି। ସମୀର ରିଜଭି ଏବଂ ଟ୍ରିଷ୍ଟନ୍ ଷ୍ଟବ୍ସ ଦଳକୁ ବିଜୟୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏହି ଯୋଡ଼ି…

    Continue reading
    ଆଇପିଏଲ: ଆଜି ଦିଲ୍ଲୀ-ଲକ୍ଷ୍ନୌ ମୁହାଁମୁହିଁ

    ଆଜି ଆଇପିଏଲ ୨୦୨୬ର ପଞ୍ଚମ ମ୍ୟାଚ ଖେଳାଯିବ । ରିଷଭ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ଦଳ ଘରୋଇ ଗ୍ରାଉଣ୍ଡ୍‌ରେ ଦିଲ୍ଲୀକୁ ଭେଟିବ । ଉଭୟ ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଥିବାରୁ ଆଜି ଏକ ସଂଘର୍ଷପୂର୍ଣ୍ଣ ମୁକାବିଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ