ଓମବ୍ରିକ୍ କାର୍ୟ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର ତଟରେଖା ଦେଇ ବ୍ୟାପିଥିବା ବଙ୍ଗୋପସାଗରର ନୀଳ ଜଳରାଶିରେ କ’ଣ ଲୁଚି ରହିଛି, ସେଥିରୁ ମାନବ ସଭ୍ୟତା ପାଇଁ କ’ଣ ଉପାଦେୟ ହୋଇପାରିବ ତା’ର ଅନୁସନ୍ଧାନ ଆରମ୍ଭ ହେବ। ଅଭିଜ୍ଞ ତଥା ଯୁବ ଗବେଷକ, ବୈଜ୍ଞାନିକ ନିଜ ଦକ୍ଷତା ପ୍ରତିପାଦନ ପାଇଁ ସୁଯୋଗ ପାଇବେ। ନୀଳ ଅର୍ଥନୀତିକୁ ବାସ୍ତବ ଚିତ୍ର ଦେବା ପାଇଁ ଉଦ୍ୟମ ହେବା ସହ ଗବେଷଣା ଓ ବିକାଶ (ଆର୍‌ ଆଣ୍ଡ ଡି) ନୂଆ ସମ୍ଭାବନାକୁ ଉଜାଗର କରିବ। ସମୁଦ୍ର ଗଭୀରତାରୁ ନବସୃଜନ ପାଇଁ ଦେଶର ଖ୍ୟାତନାମା ବିଶେଷଜ୍ଞ ଏକାଠି ହେବେ। ଏନେଇ ମଙ୍ଗଳବାର ଭାରତ ସରକାରଙ୍କ ପୃଥ୍ବୀ ବିଜ୍ଞାନ ମନ୍ତ୍ରଣାଳୟ ଦ୍ବାରା ପରିଚାଳିତ ରାଷ୍ଟ୍ରୀୟ ସମୁଦ୍ର ପ୍ରାଦ୍ୟୋଗିକୀ ସଂସ୍ଥାନ (ଏନ୍‌ଆଇଓଟି) ଏବଂ ରାଜ୍ୟରେ ଥିବା ୬ଟି ପ୍ରମୁଖ ଉଚ୍ଚ ଶିକ୍ଷାନୁଷ୍ଠାନ ସହିତ ରାଜ୍ୟ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିଛନ୍ତି। ଏହି ଏମଓୟୁ ସ୍ବାକ୍ଷର ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ମେରାଇନ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ କରିଡର- ଓମବ୍ରିକ୍ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଥିଲେ। ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ଅଧୀନସ୍ଥ ବାୟୋଟେକ୍ନୋଲୋଜି ନିର୍ଦେଶାଳୟ ଏହାର ନେତୃତ୍ବ ନେବ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି, ଓଡ଼ିଶା ସମୁଦ୍ର ତଟରେ ଅନେକ ସମ୍ଭାବନା ଲୁଚି ରହିଛି। ଓଡ଼ିଶା ଏହି ସମ୍ଭାବନାର ଉଦ୍ଭାବକ ହେବ। ଏହା ଆମ ପାଇଁ ପ୍ରକୃତିର କେବଳ ଏକ ଆଶୀର୍ବାଦ ନୁହେଁ ବରଂ ପ୍ରକୃତି ଆଧାରିତ ସମାଧାନ ପନ୍ଥା ନିର୍ଦ୍ଧାରଣ ପାଇଁ ନିବେଶ କରିବାର ସୁଯୋଗ ଦେଇଛି। ଏଠାରୁ ସାରା ବିଶ୍ବ କଲ୍ୟାଣ ପାଇଁ ଅନେକ କିଛି ଉଦ୍ଭାବନ ନିମନ୍ତେ ଯୁବ ବୈଜ୍ଞାନିକମାନେ ପ୍ରୟାସ କରିବେ। ଆମର ଜୈବ ବିବିଧତାକୁ କ୍ଷତି ନ ପହଞ୍ଚାଇ ତା’ର ସୁରକ୍ଷା, ଦାୟିତ୍ବ ସହ ଉପଯୋଗ ଏବଂ ବୁଝିବା ପାଇଁ ଉଦ୍ୟମ କରାଯିବ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ ଆମର ଭୌଗୋଳିକ ଅବସ୍ଥିତି, ଏଠାରେ ଥିବା ଗବେଷଣା ଓ ଉଚ୍ଚଶିକ୍ଷା ଅନୁଷ୍ଠାନ ବଳରେ ସମୁଦ୍ର ଗଭୀରତା ଭିତରେ ଲୁକ୍କାୟିତ ମୂଲ୍ୟବାନ ଉପାଦାନ ସନ୍ଧାନ ପାଇଁ ଓମ୍‌ବ୍ରିକ୍ ଏକ ସର୍ବଶ୍ରେଷ୍ଠ ମଞ୍ଚ ହୋଇପାରିବ। ବାୟୋଟେକ୍ନୋଲୋଜିକୁ ନୂଆ ଦିଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ବାସ ବ୍ୟକ୍ତ କରିଥିଲେ। ଓମବ୍ରିକ୍ସ ପାଇଁ ଏନ୍‌ଆଇଓଟି ସମେତ ଭୁବନେଶ୍ବରସ୍ଥିତ ଆଇଆଇଟି ଏବଂ ଆଇଏଲ୍‌ଏସ୍‌, ଆଇଜର ବ୍ରହ୍ମପୁର, ଏନ୍‌ଆଇଟି ରାଉରକେଲା, ବ୍ରହ୍ମପୁର ବିଶ୍ବବିଦ୍ୟାଳୟ, ଫକିର ମୋହନ ବିଶ୍ବବିଦ୍ୟାଳୟ ସହିତ ବୁଝାମଣା ସ୍ବାକ୍ଷରିତ ହୋଇଛି। ସମୁଦ୍ର ଗର୍ଭରେ ବହୁ ଉପାଦେୟ ସାମଗ୍ରୀ ଓ ଉପାଦାନ ଭରି ରହିଥିବାବେଳେ ଏହା ଉପରେ ଉଚ୍ଚତର ଗବେଷଣା ହେବ। ଏସବୁ ଶିକ୍ଷାନୁଷ୍ଠାନର ବୈଜ୍ଞାନିକ, ଗବେଷକ, ବିଶେଷଜ୍ଞ ତଥା ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ। ଏଥିରୁ ଯାହା ମିଳିବ ତାହା କେବଳ ଅର୍ଥନୀତିକୁ ସମୃଦ୍ଧ କରିବ ନାହିଁ ବରଂ ଜୀବଜଗତ ତଥା ପରିବେଶ ସୁରକ୍ଷା ଦିଗରେ ବେଶ୍‌ ଉପଯୋଗୀ ହେବ। ଏହି କାର୍ୟ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମୁଖ୍ୟ ସଚିବ ମନୋଜ ଆହୁଜା, ପ୍ରମୁଖ ସଚିବ ଚିତ୍ରା ଅରୁମୁଗମ, ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ନିର୍ଦେଶକମାନେ ଉପସ୍ଥିତ ଥିଲେ।

  • Related Posts

    ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ

    ଭୁବନେଶ୍ବର : ଖରାକୁ ଦୃଷ୍ଟିରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ଆରମ୍ଭ । ସମସ୍ତ ସରକାରୀ, ବେସରକାରୀ ସ୍କୁଲ ପାଇଁ ଏହା ଲାଗୁ କରାଯାଇଛି। ସ୍କୁଲରେ ସକାଳୁଆ ପାଠପଢା ପାଇଁ ନିର୍ଦେଶ ଦିଆଯାଇଛି। ସକାଳ ସାଢେ ୬ ଟାରୁ ସାଢେ ୧୦ଟା…

    Continue reading
    ଗ୍ୟାସ୍ କଳା ବଜାର ରୋକିବାକୁ ବାୟୋମେଟ୍ରିକ ବାଧ୍ୟତାମୂଳକ

    ଭୁବନେଶ୍ବର: ଇରାନ ଯୁଦ୍ଧ ପାଇଁ ଭାରତରେ ଏଲ୍‌ପିଜି ସଙ୍କଟ ଦେଖାଦେଇଥିବା ବେଳେ ପିଏନ୍‌ଜି ଗ୍ୟାସ୍ ସଂଯୋଗ ଉପରେ ସରକାର ଗୁରୁତ୍ବ ଦେଉଛନ୍ତି। ଏପରିସ୍ଥଳେ ଏଲପିଜି ସିଲିଣ୍ଡର କଳାବଜାରୀ ରୋକିବାକୁ ତୈଳ ଓ ଗ୍ୟାସ କମ୍ପାନୀଙ୍କ ପକ୍ଷରୁ ଗ୍ରାହକଙ୍କ ବାୟୋମେଟ୍ରିକ (ଆଙ୍ଗୁଠି ଓ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ