
ଭୁବନେଶ୍ୱର: ପୁଣି ଓଡ଼ିଶା ଆସିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ । ଆସନ୍ତା ୨୯ ତାରିଖରେ ଦୁଇଦିନିଆ ଗସ୍ତରେ ଶାହ ଓଡ଼ିଶାରେ ପହଞ୍ଚିବେ । ସମ୍ବଲପୁରରେ ତାଙ୍କର କାର୍ୟ୍ୟକ୍ରମ ଅଛି । ଏକ ସରକାରୀ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ସେ ଆସୁଛନ୍ତି । ତେବେ ଦୁଇ ଦିନ ଓଡ଼ିଶାରେ ରହିବାର କାର୍ୟ୍ୟକ୍ରମ ଥିବାରୁ ଦଳୀୟ ସଂଗଠନକୁ ବଳୁଆ କରିବାକୁ ନେତାଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ମିଳିଛି। ବର୍ଷ ଶେଷରେ ଶାହଙ୍କ ଗସ୍ତକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ସଂଗଠନ ସହିତ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ସମ୍ବଲପୁରରେ ଆଲୋଚନା ହୋଇପାରେ । ଏଥିପାଇଁ ସବୁ ବଡ଼ ନେତା ଓ ଦଳୀୟ ପଦାଧିକାରୀ ସେଠାକୁ ଯିବେ ବୋଲି ଶୁଣିବାକୁ ମିଳୁଛି । ସେହିଭଳି ଆସନ୍ତା ୨୫ ତାରିଖରେ ବାଜପେୟୀଙ୍କ ଜୟନ୍ତୀକୁ ସୁଶାସନ ଦିବସ ଭାବେ ପାଳିବେ ସରକାର ।
ଆସନ୍ତାବର୍ଷ ତାଙ୍କର ଜନ୍ମ ଶତବାର୍ଷିକୀ ପାଳନ ପାଇଁ ଚଳିତ ବର୍ଷଠାରୁ ବିଭିନ୍ନ କାର୍ୟ୍ୟକ୍ରମ ଆୟୋଜନ ହେବ । ଏଥିପାଇଁ ଆସନ୍ତା ୨୫ ତାରିଖରେ ପ୍ରତି ଜିଲ୍ଲାରେ ଏବଂ ରାଜ୍ୟସ୍ତରରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜନ କରାଯିବ । ଓୟୁଏଟି ସମ୍ମିଳନୀ କକ୍ଷରେ ହେବାକୁ ଥିବା ରାଜ୍ୟସ୍ତରୀୟ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସାମିଲ ହେବେ। ମନ୍ତ୍ରୀମାନେ ଜିଲ୍ଲାସ୍ତରୀୟ କାର୍ୟ୍ୟକ୍ରମରେ ଯୋଗ ଦେବେ ବୋଲି ସୂଚନା ମିଳିଛି ।




