
ସୋର: ବାଲେଶ୍ବର ଜିଲା ସୋର ବ୍ଲକରେ ବଡ଼ ଧରଣର ଚୋରି । ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଦହିପୁର ଗ୍ରାମର ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ଘରେ କେହି ନ ଥିବାବେଳେ ଦୁର୍ବୃତ୍ତମାନେ ଘରେ କଳାକନା ବୁଲେଇ ଦେଇଛନ୍ତି। ଘରେ କେହି ନ ଥିବା ବାଳେ ୧୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ସୁନା ଗହଣା ଓ ନଗଦ ୨ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି । ସେହିପରି ଜଣେ ଡାକ୍ତରଙ୍କ ଘରେ ଦୁର୍ବୃତ୍ତ ଚୋରି କରିବାକୁ ପଶିଥିଲେ, କିନ୍ତୁ ପୁଲିସ ଆସିବା ଭୟରେ ପଳାଇ ଯାଇଥିଲେ।
ଦହିପୁର ଗ୍ରାମର ଚୈତନ୍ୟ ପ୍ରଧାନ ଜଣେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ହୋଇଥିବା ବେଳେ ପାଞ୍ଚ ଦିନ ପୂର୍ବରୁ ସେ ଓ ତାଙ୍କ ପତ୍ନୀ ଉତ୍ତର ଭାରତ ଭ୍ରମଣ କରିବାକୁ ଯାଇଛନ୍ତି । ଘରେ ତାଙ୍କ ଶିକ୍ଷୟିତ୍ରୀ ଝିଅ ଓ ଜ୍ୱାଇଁ ଏହି ସମୟରେ ରୁହନ୍ତି । ଉଭୟ କିନ୍ତୁ ପୂର୍ବାହ୍ଣରେ ସ୍କୁଲକୁ ଯାଇ ଥିବାବେଳେ ଘରେ ତାଲା ପଡ଼ିଥିଲା । ଏହି ସୁଯୋଗରେ ଚୋରମାନେ ଘର ପଛ ପଟ ଝରକା ଗ୍ରିଲ୍ ଭାଙ୍ଗି ଭିତରେ ପଶି ନଗଦ ୨ ଲକ୍ଷ ଟଙ୍କା ସମେତ ୧୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଚୋରି କରି ନେଇଥିଲେ । ଉଭୟ ସ୍ୱାମୀ ସ୍ତ୍ରୀ କର୍ମକ୍ଷେତ୍ରରୁ ଘରେ ପହଞ୍ଚିବା ପରେ ଘର ଭିତର ପଟୁ କବାଟ ଦିଆଯାଇଥିବା ଦେଖି ପଛ ପଟେ ଝରକା ଗ୍ରିଲ୍ ଭଙ୍ଗା ଯାଇଥିବା ଦେଖିଥିଲେ। ଫଳରେ ଭିତରେ ପଶି ଘରୁ ଚୋରି ହୋଇଥିବା ଜାଣିପାରି ସୋର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଥିଲା। ଏ ବାବଦରେ ସନ୍ଧ୍ୟାରେ ହିରଣ୍ମୟୀ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।



