
ଭୁବନେଶ୍ବର: ନିଜର ସଂସ୍କୃତି, ଶିଷ୍ଟାଚାର ଓ ଗଣତାନ୍ତ୍ରିକ ଅନୁଷ୍ଠାନ ପ୍ରତି ସମ୍ମାନ ପାଇଁ ପଶ୍ଚିମବଙ୍ଗ ଜଣାଶୁଣା। କିନ୍ତୁ ଅନ୍ତର୍ଜାତୀୟ ମହିଳା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଯେପରି ଅସମ୍ମାନ ପ୍ରଦର୍ଶନ କରାଗଲା ତାହା ସାରା ଦେଶବାସୀଙ୍କୁ ବ୍ୟଥିତ କରିଛି। ଏଥିପାଇଁ ଆପଣ ରାଷ୍ଟ୍ରପତି ଓ ଦେଶବାସୀଙ୍କୁ କ୍ଷମା ମାଗନ୍ତୁ। ତିନି ଦିନ ତଳେ ରାଷ୍ଟ୍ରପତିଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ କାର୍ୟ୍ୟକ୍ରମ ସ୍ଥଳ ପରିବର୍ତ୍ତନ କରାଯିବା ପ୍ରସଙ୍ଗରେ ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପତ୍ର ଲେଖି ଏହା ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଶ୍ରୀ ମାଝୀ ଉଲ୍ଲେଖ କରିଛନ୍ତି, ଆମ ଦେଶର ରାଷ୍ଟ୍ରପତି ଜଣେ ଆଦିବାସୀ ମହିଳା। ଆଦିବାସୀଙ୍କ କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ରାଷ୍ଟ୍ରପତି ପଶ୍ଚିମବଙ୍ଗ ଯାଇଥିଲେ।
କିନ୍ତୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ତାଙ୍କୁ ସାମାନ୍ୟତମ ସୌଜନ୍ୟତା ପ୍ରଦର୍ଶନ କରାଗଲା ନାହିଁ। ଶେଷ ମୁହୂର୍ତ୍ତରେ କାର୍ୟ୍ୟକ୍ରମ ସ୍ଥାନ ପରିବର୍ତ୍ତନ କରାଗଲା। ଏପରି ଆଚରଣ କେବଳ ଦେଶର ଲକ୍ଷ ଲକ୍ଷ ଆଦିବାସୀ ଓ ଦଳିତଙ୍କ ସମ୍ବେଦନ ପ୍ରତି କୁଠାରାଘାତ କରିନାହିଁ ବରଂ ପଶ୍ଚିମବଙ୍ଗ ଉପରେ କଳାଦାଗ ଲଗାଇଛି। ସାନ୍ତାଳ ସମ୍ପ୍ରଦାୟର ଲୋକେ ସାରା ଦେଶରେ ବସବାସ କରିବା ସହ ଦେଶର ବିକାଶରେ ସେମାନଙ୍କ ଯୋଗଦାନ ରହିଛି। ଜଣେ ଆଦିବାସୀ ଭାବେ ଏହି ଘଟଣା ମୋତେ ଗଭୀର ଆଘାତ ଦେଇଛି। ତେଣୁ ଆପଣ ଏଥିପାଇଁ ତୁରନ୍ତ ରାଷ୍ଟ୍ରପତିଙ୍କ ସହିତ ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିବା ଆବଶ୍ୟକ। ସାମ୍ବିଧାନିକ ପଦବୀ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ଥିବା ଆମର ପ୍ରତିଶ୍ରୁତିବଦ୍ଧକୁ ଏହା ଆହୁରି ବଳିଷ୍ଠ କରିବ ବୋଲି ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି।



