
ଭୁବନେଶ୍ୱର: ଦୀର୍ଘବର୍ଷ ଧରି ଛତିଶଗଡ଼ ସହ ଚାଲିଥିବା ମହାନଦୀ ଜଳବିବାଦର ଆପୋଷ ସମାଧାନ କେନ୍ଦ୍ର ସରକାରଙ୍କ ସହଯୋଗରେ କରିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ୨୦୧୬ ମସିହାରେ ତତକାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ମଧ୍ୟସ୍ଥତାରେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ବିଫଳ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ କେନ୍ଦ୍ର ସରକାର ମହାନଦୀ ଜଳ ଟ୍ରିବ୍ୟୁନାଲ ଗଠନ କରିଥିଲେ । ମାତ୍ର ଏବେ ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ସହ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାର ରହିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱ ଦେଇଥିବା ତାଙ୍କ କାର୍ୟ୍ୟାଳୟ ସୂଚନା ଦେଇଛି ।
ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଛତିଶଗଡ଼ ସହିତ ଚାଲିଥିବା ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ରୀୟ ଜଳ କମିଶନରେ ସମସ୍ୟା ସମାଧାନ ପାଇଁ ଉଦ୍ୟମ ମନ୍ଥର ଗତିରେ ଚାଲିଥିବାରୁ କେନ୍ଦ୍ର ସରକାରଙ୍କ ସହଯୋଗରେ ଉଭୟ ରାଜ୍ୟ ମଧ୍ୟରେ ଆପୋଷ ଆଲୋଚନା କରାଯାଇ ସମସ୍ୟାର ସମାଧାନ କରାଯାଇପାରିବ । ଏଥିରେ କେନ୍ଦ୍ର ଜଳ କମିଶନ ବୈଷୟିକ ସହଯୋଗ ପ୍ରଦାନ କରିପାରିବ । ଏହାଦ୍ୱାରା ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଥିବା ଦୀର୍ଘଦିନର ବିବାଦ ସମାଧାନ ହୋଇପାରିବ ଏବଂ ଉଭୟ ରାଜ୍ୟ ମଧ୍ୟରେ ସୁସଂପର୍କ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ।
ମୁଖ୍ୟମନ୍ତ୍ରୀ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପୂର୍ବରୁ ଫେବୃୟାରୀ ମାସରେ ରାଜସ୍ଥାନରେ ହୋଇଥିବା ସର୍ବଭାରତୀୟ ରାଜ୍ୟ ଜଳ ସଂପଦ ମନ୍ତ୍ରୀମାନଙ୍କର ସମ୍ମିଳନୀ ଓ ମାର୍ଚ୍ଚ ମାସରେ ଭୁବନେଶ୍ୱରରେ ହୋଇଥିବା ବିଶ୍ୱ ଜଳଦିବସ ପାଳନବେଳେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ମଧ୍ୟରେ ଏ ବିଷୟରେ ଆଲୋଚନା ହୋଇଥିଲା । ଉଭୟ ମୁଖ୍ୟମନ୍ତ୍ରୀ ମଧ୍ୟ ମହାନଦୀ ଜଳବିବାଦର ଆପୋଷ ସମାଧାନ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହାସହିତ ଦୁଇ ରାଜ୍ୟର ଉଚ୍ଚସ୍ତରୀୟ ପଦାଧିକାରୀମାନଙ୍କ ମଧ୍ୟରେ ଏ ସଂପର୍କରେ ଆଲୋଚନା ଜାରି ରହିଛି ବୋଲି କୁହାଯାଇଛି ।
ଆଜିର ବୈଠକରେ ଆଡଭୋକେଟ ଜେନେରାଲ ପିତାମ୍ୱର ଆଚାର୍ୟ୍ୟଙ୍କ ସମେତ ମୁଖ୍ୟ ସଚିବ ମନୋଜ ଆହୁଜା, ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଓ ଜଳ ସଂପଦ ବିଭାଗର ବରିଷ୍ଠ ଅଧିକାରୀ ଓ ଇଞ୍ଜିନିୟରମାନେ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ଓଡ଼ିଶା ଓ ଛତିଶଗଡ଼ରେ ବିଜେପି ସରକାର ଥିବାବେଳେ କେନ୍ଦ୍ରରେ ମଧ୍ୟ ବିଜେପି ନେତୃତ୍ୱାଧୀନ ସରକାର ରହିଛି । ସମ୍ଭବତଃ ଏହି କାରଣରୁ ମହାନଦୀ ଜଳବିବାଦର ସମାଧାନ ଟ୍ରିବ୍ୟୁନାଲ ପରିବର୍ତ୍ତେ ଆପୋଷ ସମାଧାନ କରିବା ଉପରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଗୁରୁତ୍ୱ ଦେଇଥିବା ଚର୍ଚ୍ଚା ହେଉଛି ।
୨୦୧୬ ମସିହାରେ ଛତିଶଗଡ଼ ସହ ମହାନଦୀ ଜଳବିବାଦକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ବଢ଼ିବା ପରେ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡାକି ଆପୋଷ ସମାଧାନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଥିଲେ । ମାତ୍ର ଦୁଇ ଦୁଇଥର ଆଲୋଚନା ବିଫଳ ହେବାପରେ ୨୦୧୮ ଜାନୁୟାରୀ ମାସରେ ଟ୍ରିବ୍ୟୁନାଲ ଗଠନ କରି ବିବାଦର ସମାଧାନ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । ଏହି ଟ୍ରିବ୍ୟୁନାଲ ଅଦ୍ୟାବଧି କାର୍ୟ୍ୟ କରୁଛି ।