
ଚେନ୍ନାଇ: ଭାରତୀୟ ଜନତା ପାର୍ଟି ପକ୍ଷରୁ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ୨୭ ଜଣ ପ୍ରାର୍ଥୀଙ୍କ ପୂର୍ଣ୍ଣାଙ୍ଗ ତାଲିକା ପ୍ରକାଶ କରାଯାଇଥିଲା। ତାଲିକାରେ କେ ଆନ୍ନାମଲାଇଙ୍କ ନାମ ନଥିଲା। ଏନେଇ ଆନ୍ନାମଲାଇ ନୀରବତା ଭାଙ୍ଗିଛନ୍ତି। ସେ ଶନିବାର ସ୍ପଷ୍ଟ କରିଛନ୍ତି, ତାମିଲନାଡୁରେ ଆଗାମୀ ବିଧାନସଭା ନିର୍ବାଚନରେ ଲଢ଼ିବାକୁ ଚାହୁଁ ନାହାନ୍ତି। ସେ ଦଳର କୋର କମିଟିକୁ ତାଙ୍କର ନିଷ୍ପତ୍ତି ପୂର୍ବରୁ ଜଣାଇ ଦେଇଥିବା କହିଛନ୍ତି। ଚେନ୍ନାଇରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଅନ୍ନାମଲାଇ କହିଛନ୍ତି, ସେ କୌଣସି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଲିଖିତ ଭାବରେ ଜଣାଇ ଦେଇଛନ୍ତି। ମୁଁ ପୂର୍ବରୁ କୋର କମିଟିକୁ ଲିଖିତ ଭାବରେ ଜଣାଇଥିଲି ଯେ ମୁଁ କୌଣସି ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବି ନାହିଁ। ତେଣୁ, ଏହା ନୁହେଁ ଯେ ମୋତେ ଟିକେଟ୍ ମନା କରାଯାଇଛି। ସତ୍ୟ ହେଉଛି ମୁଁ ନିର୍ବାଚନ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛି।
ବିଜେପି ନେତା କହିଛନ୍ତି, ଗଣମାଧ୍ୟମରେ ଏହି ମାମଲା ଆଲୋଚନାର ବିଷୟ ପାଲଟିଥିବାରୁମୁଁ ସ୍ପଷ୍ଟୀକରଣ ଦେଉଛି। ଅନ୍ନାମଲାଇ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେଇଥିବାରୁ ଦଳୀୟ ନେତୃତ୍ୱଙ୍କୁ ଧନ୍ୟବାଦ ମଧ୍ୟ ଦେଇଛନ୍ତି ଏବଂ କହିଛନ୍ତି ଯେ ସେ ମେଣ୍ଟ ପାଇଁ ପ୍ରଚାର ଉପରେ ଧ୍ୟାନ ଦେବେ। ଦଳର ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି ଯେ ଅନ୍ନାମଲାଇ ଗୋଟିଏ ନିର୍ବାଚନମଣ୍ଡଳୀରୁ ନିର୍ବାଚନ ଲଢ଼ିବା ଅପେକ୍ଷା ରାଜ୍ୟ ସାରା ପ୍ରଚାର ଉପରେ ଧ୍ୟାନ ଦେବାକୁ ବାଛିଛନ୍ତି।
ଅନ୍ନାମଲାଇ ଦଳର ଜଣେ ଉତ୍ସର୍ଗୀକୃତ କର୍ମୀ ଏବଂ ଗୋଟିଏ ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପରିବର୍ତ୍ତେ ରାଜ୍ୟ ସାରା କାମ କରିବାକୁ ପସନ୍ଦ କରିଛନ୍ତି। ରାଜ୍ୟ ୟୁନିଟ୍ ଏବଂ ବ୍ୟକ୍ତିଗତ ପସନ୍ଦର ସୂଚନା ଆଧାରରେ ପ୍ରାର୍ଥୀମାନଙ୍କୁ ଚୟନ କରାଯାଇଥିବା ଗୋୟଲ କହିଛନ୍ତି। ତାଲିକା ଘୋଷଣା ହେବା ପରେ, ଅନ୍ନାମଲାଇ ସୋସିଆଲ ମିଡିଆ ଏକ୍ସରେ କହିଥିଲେ, ସେ ଏନଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ। ସେ କହିଛନ୍ତି,ମୁଁ ଜଣେ କର୍ମୀ ଏବଂ କାନ୍ଧକୁ କାନ୍ଧ ମିଶାଇ ଛିଡ଼ା ହେବି ଏବଂ ଆମର ସମସ୍ତ ବିଜେପି ଏବଂ ଅନ୍ୟାନ୍ୟ ଏନଡିଏ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବି। ଏନଡିଏ ୨୧୦ ଆସନ ଜିତିବା ଲକ୍ଷ୍ୟ ରଖିଥିବା ସେ କହିଛନ୍ତି। ସୂଚନାଯୋଗ୍ୟ,ତାମିଲନାଡୁରେ ୨୩ ଏପ୍ରିଲରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ। ଭୋଟ୍ ଗଣତି ୪ ମେରେ ହେବ।।




