
ଭୁବନେଶ୍ବର: ଓଡି଼ଶାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ । କାର୍ୟ୍ୟକାଳ ଶେଷ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି ରଘୁବର । ରଘୁବରଙ୍କ ଇସ୍ତଫାକୁ ନେଇ ରାଜ୍ୟରେ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । ଓଡ଼ିଶାରେ କୌଣସି ରାଜ୍ୟପାଳ ରଘୁବରଙ୍କ ଭଳି ବିବାଦୀୟ ହୋଇନଥିବା ବିଜେଡି କହିଛି ।ରଘୁବର ଦାସଙ୍କୁ ଟାର୍ଗେଟ କରି ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ କହିଛନ୍ତି, “ରାଜନୈତିକ ଫାଇଦା ଦୃଷ୍ଟିରେ ରଖି ରାଜ୍ୟପାଳଙ୍କ ନିଯୁକ୍ତି ହେଉଛି । ରାଜନୈତିକ ପଦପଦବୀରୁ ଅନେକ ରାଜ୍ୟପାଳ ହୋଇଛନ୍ତି । ଓଡିଶାର ରାଜ୍ୟପାଳ ଥିବା ରଘୁବର ସମ୍ପୂର୍ଣ୍ଣ ବିଜେପି ଦଳ ଥିଲେ । ଓଡିଶାରେ ସେ ଦଳ ପାଇଁ ବହୁତ କାମ କଲେ । ଓଡ଼ିଶାରେ ବିଜେପି ସରକାର ଆସିବା ପାଇଁ ସେ ସବୁଆଡ଼େ ଗସ୍ତ କରି କାର୍ୟ୍ୟ କରିଛନ୍ତି । ଝାଡଖଣ୍ଡରେ ଯେହେତୁ ବିଜେପି ଦୁର୍ବଳ ଅଛି, ତେଣୁ ଦଳ ତାଙ୍କୁ ନେଇ କିଛି ନୂଆ ଯୋଜନା କରୁଛି ।” ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟପାଳଙ୍କ ପୁଅ ବିରୋଧରେ ସଂଗୀନ ଅଭିଯୋଗ ଥିଲା । କିନ୍ତୁ କୌଣସି କାର୍ୟ୍ୟାନୁଷ୍ଠାନ ନିଆଗଲା ନାହିଁ । କୌଣସି ରାଜ୍ୟପାଳ ଏଭଳି ବିବାଦରେ ଛନ୍ଦି ହେବା, ମୋ ୫୦ ବର୍ଷ ରାଜନୈତିକ ଜୀବନରେ କାଳରେ କେବେ ଦେଖିନାହିଁ ।”




