ରାଜ୍ୟରେ ରଦ୍ଦ ହେବ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନ:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶାରେ ଅନେକ ପୁରୁଣା, ନିଷ୍କ୍ରିୟ ଓ ଅପ୍ରାସଙ୍ଗିକ ଆଇନକୁ ଚିହ୍ନଟ କରାଯାଇ ରଦ୍ଦ କରାଯିବ। ଏହି ପ୍ରକ୍ରିୟା ଆରମ୍ଭ ହୋଇସାରିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କହିଛନ୍ତି। କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ବ୍ରିଟିଶ ଅମଳର ୩ ଆପରାଧିକ ଆଇନ ପରିବର୍ତ୍ତେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ ଗତ ଜୁଲାଇ ୧ରୁ ସାରା ଦେଶରେ ଲାଗୁ କରିଛନ୍ତି। ଏହି ୩ ଆଇନକୁ ମୁଖ୍ୟମନ୍ତ୍ରୀ ଭୂୟସୀ ପ୍ରଂଶସା କରି କହିଛନ୍ତି, ଓଡ଼ିଶାରେ ଆଇନ କ୍ଷେତ୍ରରେ ସଂସ୍କାର ଅଣାଯିବ। ଆମ ଦେଶରେ ଆଇନକାନୁନ ବହୁତ ଅଧିକ। ସେଥିରୁ ଅଧିକାଂଶ ଆଉ ପ୍ରାସଙ୍ଗିକ ନୁହେଁ। ଗତ ୧୦ ବର୍ଷରେ ପ୍ରଧାନମନ୍ତ୍ରୀ ମୋଦି ୧୫୫୦ରୁ ଅଧିକ ଅପ୍ରାସଙ୍ଗିକ ଆଇନକୁ ରଦ୍ଦ କରିସାରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଭୁବନେଶ୍ୱରସ୍ଥିତ ଲୋକସେବା ଭବନ କନ୍‌ଭେନସନ ସେଣ୍ଟରରେ ଗୁରୁବାର ଆୟୋଜିତ ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ନ୍ୟାୟ ସଂହିତା ଜାଗୃତୀକରଣ କାର୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ପୂର୍ବ ସରକାରରେ ଆଇନର ଶାସନ କାର୍ୟ୍ୟକାରୀ କରିବାକୁ ଇଚ୍ଛାଶକ୍ତିର ଅଭାବ ଥିଲା। ଆମ ଦେଶରେ ବିଭିନ୍ନ ଅପରାଧକୁ ସମାଧାନ କରିବା ପାଇଁ ଆଇନର ଅଭାବ ନାହିଁ, ଯଦି ଅଭାବ ଅଛି ସେଇଟା ହେଉଛି କାର୍ୟ୍ୟକାରୀ କରିବାରେ ଢିଲା ମନୋଭାବ। ମହିଳା ହିଂସା ସମ୍ପର୍କିତ ମକଦ୍ଦମାର ଦଣ୍ଡ ବିଧାନ ହାର ଏକକ ସଂଖ୍ୟାରେ ଅଛି। ୨୦୨୨ ସୁଦ୍ଧା ଏନ୍‌ସିଆର୍‌ବି ତଥ୍ୟ ଅନୁସାରେ ଏହି ହାର କେବଳ ୯.୩% ଯାହା ଲଜ୍ଜାଜନକ। ପୂର୍ବ ସରକାର ପ୍ରତିଦିନ ମହିଳା ସଶକ୍ତୀକରଣ କଥା କହୁଥିଲେ। ଓଡ଼ିଶାର ଏହି ଲଜ୍ଜାଜନକ ପରିସ୍ଥିତି ପାଇଁ ଖାମଖିଆଲି ଢଙ୍ଗରେ ତଦନ୍ତ ଏବଂ ରାଜନୈତିକ ଇଚ୍ଛାଶକ୍ତିର ଅଭାବ ଥିଲା। କିନ୍ତୁ ବର୍ତ୍ତମାନ ଏସବୁ ଚାଲିବ ନାହିଁ। ଆଇନ ମନ୍ତ୍ରୀଙ୍କୁ ନିବେଦନ ଏହି କାମକୁ ଯୁଦ୍ଧକାଳୀନ ଭିତ୍ତିରେ ତଦାରଖ କରନ୍ତୁ ଏବଂ ଆବଶ୍ୟକ ହେଲେ ସ୍ବତନ୍ତ୍ର କୋର୍ଟ ସ୍ଥାପନା କରିବାକୁ ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଗତ ଜୁଲାଇ ୧ରୁ କାର୍ୟ୍ୟକାରୀ ହୋଇଥିବା ୩ଟି ଆଇନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ନ୍ୟାୟ ବ୍ୟବସ୍ଥାର ମେରୁଦଣ୍ଡ ହେଉଛି ଭାରତୀୟ ସମ୍ବିଧାନ ଏବଂ ନ୍ୟାୟ ସଂହିତା। ଏହି ସଂହିତାକୁ ଆଧାରକରି ଆମ ନ୍ୟାୟ ବ୍ୟବସ୍ଥା ପରିଚାଳିତ ହୋଇଥାଏ। କିନ୍ତୁ ୧୮୬୦ରୁ ବ୍ରିଟିଶ ସରକାର ଯେଉଁ ସଂହିତାର ପ୍ରଣୟନ କରିଥିଲେ ତାକୁ ଆମେ ବର୍ତ୍ତମାନ ପର୍ୟ୍ୟନ୍ତ ପାଳନ କରୁଥିଲୁ। କିନ୍ତୁ ଭାରତ ପରି ଏକ ବିବିଧତାରେ ପରିପୂର୍ଣ୍ଣ ସମାଜରେ ୧୬୪ ବର୍ଷର ନିୟମ କେତେଦୂର ପ୍ରାସଙ୍ଗିକ ସମସ୍ତେ ଜାଣନ୍ତି। ଏହାଛଡ଼ା ବର୍ତ୍ତମାନର ଦ୍ରୁତ ପରିବର୍ତ୍ତନଶୀଳ ସମାଜରେ ଏତେ ପୁରୁଣା ଆଇନ ଉଚିତ ନ୍ୟାୟ ଦେବାରେ ସମ୍ପୂର୍ଣ୍ଣରୂପେ କ୍ଷମତାସମ୍ପନ୍ନ ନ ଥିଲା।

ତେଣୁ ଏହାର ସମୟୋପଯୋଗୀ ପରିବର୍ତ୍ତନର ଆବଶ୍ୟକତାକୁ ଉପଲବ୍ଧ କରି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ସରକାର ଏହି ନୂତନ ଆଇନକୁ ପ୍ରବର୍ତ୍ତନକଲେ। ନୂତନ ଭାବେ ପ୍ରଣିତ ଏହି ଆଇନକୁ ପୀଡ଼ିତ-କୈନ୍ଦ୍ରିକ କରାଯାଇଛି। ପୋଲିସର କାର୍ୟ୍ୟକୁ ନ୍ୟାୟ ଓ ବିଧିସଙ୍ଗତ କରିବା ପାଇଁ ମୂଳ ଆଇନ ଅର୍ଥାତ୍‌ ସିଆର୍‌ପିସିରେ ଅନେକ କିଛି ପରିବର୍ତ୍ତନ କରାଯାଇଛି। ନୂତନ ଆଇନରେ ପୋଲିସ ପାଖରେ ଅଭିଯୋଗ ପଞ୍ଜୀକରଣ ସୁନିଶ୍ଚିତ କରିବା ପାଇଁ ଉପଯୁକ୍ତ ବ୍ୟବସ୍ଥା ରହିଛି। ଇଲେକ୍ଟ୍ରୋନିକ୍‌ ମାଧ୍ୟମ ସହ ଜିରୋ ଏଫ୍‌ଆଇଆର୍‌ ବ୍ୟବସ୍ଥା ମଧ୍ୟ କରାଯାଇଛି। ସେହିପରି ୧୫ ବର୍ଷରୁ କମ୍‌ ଏବଂ ୬୦ ବର୍ଷର ବ୍ୟକ୍ତି, ଶାରୀରିକ ଓ ମାନସିକ ସ୍ତରରେ ଭିନ୍ନକ୍ଷମ ବ୍ୟକ୍ତି ତଥା ମହିଳା ଥାନାକୁ ନ ଯାଇ ମଧ୍ୟ ବିବୃତି ରେକର୍ଡ କରିପାରିବାର ବ୍ୟବସ୍ଥା, ପୋକ୍‌ସୋ ଆଇନରେ ୬୦ ଦିନ ମଧ୍ୟରେ ଫଇସଲାର ପ୍ରାବଧାନ, ସାଇବର କ୍ରାଇମ, ଅର୍ଗାନାଇଜଡ୍‌ କ୍ରାଇମ ଆଦି ବିଷୟରେ ଏହି ନୂତନ ସଂହିତାରେ ପ୍ରାବଧାନ ରଖାଯାଇଛି। ବିଭିନ୍ନ ପ୍ରକାରର ଛୋଟ ଛୋଟ ଅପରାଧ ପାଇଁ ଜେଲ କିମ୍ବା ଜରିମାନା ବଦଳରେ ସେମାନଙ୍କୁ ଗୋଷ୍ଠୀ ସେବା କରିବା ପାଇଁ ବ୍ୟବସ୍ଥା ରଖାଯାଇଛି। ଏହାଦ୍ୱାରା ଜେଲଗୁଡିକରୁ ଅତ୍ୟଧିକ ଭିଡ଼ କମିବା ସହ ଛୋଟ ଛୋଟ ଅପରାଧ ପାଇଁ ଜଣେ ବ୍ୟକ୍ତିକୁ ଅନ୍ୟ ବଡ ଅପରାଧୀଭାବେ ବିଚାର ନ କରି ପରିବର୍ତ୍ତନ କରିବା ପାଇଁ ସୁଯୋଗ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କାର୍ୟ୍ୟକ୍ରମରେ ଯୋଗଦେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ବ୍ୟବସ୍ଥାର ସରଳୀକରଣ ପାଇଁ ଆଇନର ପରିବର୍ତ୍ତନ କରାଯାଇଛି। ତେବେ ସାଧାରଣ ଲୋକେ ଯେତେବେଳେ ଆଇନକୁ ବୁଝିପାରିବେ, ସେତେବେଳେ ଆଇନର ଶାସନ ପ୍ରଭାବୀ ହୋଇପାରିବ। ଆଇନର ସରଳୀକରଣ ଓ ଏହାକୁ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ଏହି ଜାଗୃତୀକରଣ କାର୍ୟ୍ୟକ୍ରମର ଆୟୋଜନ କରାଯାଇଛି ବୋଲି ମନ୍ତ୍ରୀ ହରିଚନ୍ଦନ କହିଛନ୍ତି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ସାଧାରଣ ଲୋକ ନ୍ୟାୟ ପାଇପାରିଲେ ବ୍ୟବସ୍ଥା ଭଲ ଅଛି ବୋଲି କୁହାଯାଏ। ତେବେ ତୃଣମୂଳସ୍ତରରେ ବ୍ୟାପକ ସଚେତନତାର ଆବଶ୍ୟକତା ରହିଛି। ତ୍ୱରିତ ନ୍ୟାୟ ପ୍ରଦାନ ହେଉଛି ଆଇନର ଉଦ୍ଦେଶ୍ୟ। ନୂଆ ଆଇନ ଲାଗୁହେଲା ପରେ କେତେକ ଅପରାଧର ତ୍ୱରିତ ନ୍ୟାୟ ପ୍ରଦାନ ହୋଇପାରିଛି ବୋଲି ସେ କହିଛନ୍ତି। ପୂର୍ବତନ ସୂଚନା କମିଶନର ଜଗଦାନନ୍ଦ କହିଛନ୍ତି, ଏହା ଏକ ଐତିହାସିକ ସମ୍ମିଳନୀ। ଆଇନ ସହ ଲୋକଙ୍କୁ ଯୋଡ଼ିବାର ପ୍ରୟାସ ସ୍ବାଗତଯୋଗ୍ୟ।

  • Related Posts

    ପଶ୍ଚିମବଙ୍ଗରେ ପ୍ରଚାର ମଇଦାନରେ ମୋହନ ମାଝୀ

    ଭୁବନେଶ୍ୱର: ପଶ୍ଚିମବଙ୍ଗ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପଶ୍ଚିମବଙ୍ଗରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ନିର୍ବାଚନ ରାଲି ଓ ପ୍ରଚାର ସଭାକୁ ସମ୍ୱୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ପୂର୍ବରୁ…

    Continue reading
    ବଦଳିବେନି କଂଗ୍ରେସ ବିଧାୟକ ଦଳ ନେତା: ଭକ୍ତ ଦାସ

    ଭୁବନେଶ୍ୱର: କଂଗ୍ରେସ ବିଧାୟକଙ୍କ ଦିଲ୍ଲୀ ଗସ୍ତ ଏବଂ ବିଧାୟକ ଦଳ ନେତା ପରିବର୍ତ୍ତନ ଚର୍ଚ୍ଚା ଭିତରେ ବଡ଼ ବୟାନ ଦେଇଛନ୍ତି ପିସିସି ସଭାପତି । କହିଛନ୍ତି, କଂଗ୍ରେସ ବିଧାୟକ ମାନେ ଦିଲ୍ଲୀ ବୁଲିବାକୁ ଯାଇଛନ୍ତି । କଂଗ୍ରେସ ବିଧାୟକ ଦଳ ନେତା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ