
ବାଲେଶ୍ବର: ଲୁହା ରଡ୍ ବୋଝେଇ ଟ୍ରକରେ ଲିଫ୍ଟ ମାଗି ଆସିବା କାଳ ହୋଇଛି । ଅଧା ବାଟରେ ଟ୍ରକ ବ୍ରେକ ମାରିବାରୁ ରଡ୍ ପଡ଼ି ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି । ଦିନ ମଜୁରିଆ ଭାବେ କାମ କରିବାକୁ ବାହାରକୁ ଯାଇଥିବା ବେଳେ ଘରୁକୁ ଫେରିବା ସମୟରେ ଏମିତି ଦୁଃଖଦ ଘଟଣା ଘଟିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଛି ।
ସୂଚନା ଅନୁସାରେ, ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ବିଜୟ ସୋରେନଙ୍କ ପରିବାର ପାରାଦ୍ବୀପକୁ କାମ କରିବା ପାଇଁ ଯାଇଥିଲେ । ଚଣ୍ଡିଖୋଲରୁ ଏକ ଲୁହା ରଡ୍ ବୋଝେଇ ଟ୍ରକରେ ଲିଫ୍ଟ ଯୋଗେ ୭ ଜଣ ଡଲାରେ ବସି ଆସୁଥିଲେ । ସିମୁଳିଆ ଥାନା ମଇତାପୁର ନିକଟ ଜାତୀୟ ରାଜପଥ ଉପରେ ଥିବା ଏକ ହମ୍ସରେ ଟ୍ରକଟି ବ୍ରେକ ମାରିଦେବାରୁ ଟ୍ରକରେ ଥିବା ଲୁହା ପ୍ଲେଟ ତାଙ୍କ ଉପରେ ପଡିଯାଇଥିଲା । ଲୁହା ରଡ୍ ଖସି ମାଆ ଓ ପୁଅ ଉପରେ ବାଜି ଯାଇଥିଲା । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୭ ଜଣଙ୍କ ମଧ୍ୟରୁ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋୖରୀ ହେମ୍ବ୍ରମ ଗୁରୁତର ଥିବା ଜଣାପଡିଛି ।ମୃତ କୁନି ପୁଅ ସୌରଭ ସରେନର ବୟସ ମାତ୍ର ୬ ବର୍ଷ ହୋଇଥିବା ବେଳେ ମାଆ ସୋମବାରି ବୋଲି ଜଣାପଡିଛି । ଅନ୍ୟପଟେ ସିମୁଳିଆ ପୋଲିସ ଲୁହା ରଡ୍ ବୋଝେଇ ଟ୍ରକ ଜବତ କରି ଅଧିକ ତଦନ୍ତ ଚଳାଇଛି ।
ମୃତ ମହିଳାଙ୍କ ସ୍ବାମୀ ବିଜୟ ସରେନ କହିଛନ୍ତି, “କାମ କରିବା ପାଇଁ ଆମେ ଚଣ୍ଡିଖୋଲ ଯାଇଥିଲୁ । ଲୁହା ରଡ୍ ଟ୍ରକରେ ଲିଫ୍ଟ ମାଗି ଘରକୁ ଫେରୁଥିଲୁ । ଡାଲାରେ ବସିଥିଲୁ, ଟ୍ରକ ହମ୍ପ୍ସରେ ବ୍ରେକ ମାରିଦେବାରୁ ସେଥିରେ ଥିବା ଲୁହା ପ୍ଲେଟ ଆସି ପୁଅ ଆଉ ମୋ ସ୍ତ୍ରୀ ଉପରେ ପଡିଗଲା । ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ଆମେ ସମୁଦାୟ ୪ଟି ଛୋଟ ପିଲା ଓ ତିନିଜଣ ବଡ଼ ଲୋକ ଆସୁଥିଲୁ । ସିମୁଳିଆ ଥାନା ପଛକୁ ଏମିତି ଘଟଣା ଘଟିଛି । ମୁଁ ଖଟିଖିଆ ଲୋକ, ସରକାର ମୋତେ କିଛି ସହଯୋଗ କରନ୍ତୁ ।”



